Categories: ବାଣିଜ୍ୟ

ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା

ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍‌ ଉପରେ କଟକଣା ଲଗାଇଛି। ଏହାର ପ୍ରଭାବରେ ଚାଇନାର ଏସବୁ ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ରୁ ଅଧିକ ଭାରତୀୟ ଚାକିରି ହରାଇବା ଆଶଙ୍କା ମଧ୍ୟରେ ଦିନ ବିତାଉଛନ୍ତି। ଚାଇନା ଆପ୍‌ କମ୍ପାନୀରେ ଚାକିରି କରୁଥିବା ଭାରତୀୟ ଏବେ ଅନ୍ୟ ସ୍ଥାନରେ ଚାକିରି ପାଇଁ ଆବେଦନ କରିଛନ୍ତି। ଗତ ୪ ଦିନ ମଧ୍ୟରେ ବିଭିନ୍ନ ଘରୋଇ ସଂସ୍ଥାକୁ ଚାକିରି ଲାଗି ଆସିଥିବା ଆବେଦନ ପତ୍ରରୁ ଜଣାପଡ଼ିଛି ଯେ, ଆପ୍‌ କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ସଂଖ୍ୟା ଏଥିରେ ଅଧିକ ରହିଛି। ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ୍‌ ଡ୍ୟାନ୍ସ୍‌ରେ ୨୦୦୦ରୁ ଅଧିକ ଭାରତୀୟ କାମ କରୁଛନ୍ତି। ଏବେ କମ୍ପାନୀ ପକ୍ଷରୁ ଭାରତୀୟଙ୍କ ଚାକିରି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେବେ କଟକଣା ଅଧିକ ଦିନ ଜାରି ରହିଲେ ସ୍ଥିତି ସଙ୍କଟ ଜନକ ହୋଇପାରେ ବୋଲି କୁହାଯାଉଛି। ବାଇଟ୍‌ ଡ୍ୟାନ୍ସ୍‌ ଏହାର କର୍ମଚାରୀ ସଂଖ୍ୟା ୩୦୦୦ ବୃଦ୍ଧି କରିବାକୁ ଯୋଜନା କରିଥିଲା। ମାତ୍ର କଟକଣା ଯୋଗୁ ଏହା ସମ୍ଭବ ନୁହେଁ। ଆପ୍‌ ବ୍ୟାନ୍‌ ହେବା ଯୋଗୁ କେହି ଚାକିରି ହରାଇବେ ନାହିଁ ଅବା କାହାକୁ ଛଟେଇ କରାଯିବ ନାହିଁ ବୋଲି କମ୍ପାନୀ କହିଛି।

Share