ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା, ଡେଲି ମାର୍କେଟ ହୋଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହାତରେ ବ୍ୟାନର, ପ୍ଲାକାର୍ଡ ଧରି ଏନ୍‌ପିଏସ୍‌ ପ୍ରଥା ଉଚ୍ଛେଦ, ପୁରୁଣା ପେନ୍‌ସନ୍‌ ଲାଗୁ,ସମସ୍ତଙ୍କ ସହ ଆମକୁ ସମାନ କର ବୋଲି ସ୍ଲୋଗାନ ଦେଇଥିଲେ। ଯଥାଶୀଘ୍ର ଦାବି ସମାଧାନ ନ ହେଲେ ବିଧାନସଭା ଚାଲୁଥିବା ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ବିଇଓ ସମେତ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ, ୫ଟି ସଚିବଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ତ ବିଭାଗର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ନିଯୁକ୍ତି ବର୍ଷକୁ ଭିତ୍ତି କରି ବର୍ଦ୍ଧିତ ଦରମା ବ୍ୟବସ୍ଥା ଲାଗୁ କରାଗଲା। କିନ୍ତୁ ପ୍ରାଥମିକ ଶିକ୍ଷକଙ୍କୁ ସାବତ ପୁଅ ଭଳି ବ୍ୟବହାର କରାଗଲା। ଏହା ଅତ୍ୟନ୍ତ ଦୁଖର ବିଷୟ ଅଟେ। ୨୦୦୧ଠାରୁ ନିଯୁକ୍ତି ପାଇଥିବା ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, କନିଷ୍ଠ ଶିକ୍ଷକମାନଙ୍କୁ ସୁବିଧା ପ୍ରଦାନ କରିବା ସହ ନିଯୁକ୍ତି ଦିନଠାରୁ କେନ୍ଦ୍ରୀୟ ଦରମା ହାର ୩୫.୪୦୦ ପ୍ରଦାନ କରିବାକୁ ଦାବି କରିଛନ୍ତି। ପୁରାତନ ଦରମା ବ୍ୟବସ୍ଥା ଲାଗୁ ପାଇଁ ଦାବି କରାଯାଇଛି। ଶୋଭାଯାତ୍ରା ସମୟରେ ପୋଲିସ ଉପସ୍ଥିତ ରହି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିଥିଲେ। ଗୋବିନ୍ଦ ସେଠୀ,ସନ୍ନ୍ୟାସୀ ନାୟକ ,ସନ୍ତୋଷ ମହାନ୍ତି,ଗନ୍ତାୟତ ଗଉଡ,ସୁଦର୍ଶନ ବିଶ୍ବାସ ରାୟ,ପବିତ୍ରମୋହନ ପ୍ରମୁଖ ପରିଚାଳନା କରିଥିଲେ।