Posted inଜାତୀୟ

ମୋଦିଙ୍କ ୧୧ ଓ୍ବାଣ୍ଟେଡ୍‌ ମେଗ୍‌ନିଟ୍‌ସ୍କି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୭ା୧୦: ସ୍ପାନିଶ୍‌ ଖବରକାଗଜ ‘ଲା ଭାଙ୍ଗୁଆର୍ଡିଆ’ ଭାରତୀୟ ଅର୍ଥନୀତିକୁ ସାପୁଆ କେଳା ସହ ତୁଳନା ପୂର୍ବକ କଟାକ୍ଷ କରିବା ପରେ ଆମେରିକାର ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ରେ ଏକ ଭାରତ ବିରୋଧୀ ବିଜ୍ଞାପନ ପ୍ରକାଶ ପାଇଛି। ଏହି ଫୁଲ୍‌ ପେଜ୍‌ ଆଡ୍‌ଭର୍ଟାଇଜ୍‌ମେଣ୍ଟ ନୂଆଦିଲ୍ଲୀ ଓ ଓ୍ବାଶିଂଟନ ମଧ୍ୟରେ ବିଜ୍ଞାପନ ଯୁଦ୍ଧକୁ ଜନ୍ମ ଦେଇଛି। ଏଥିରେ ଭାରତକୁ ନିବେଶକଙ୍କ ପାଇଁ ଅସୁରକ୍ଷିତ ବୋଲି ଉଲ୍ଲେଖ କରାଯାଇଛି। ଏଥିସହ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଯୋଗୁ ଦେଶ ଶକ୍ତିହୀନ ହୋଇଯାଇଥିବା କୁହାଯାଇଛି। କେବଳ ଏତିକି ନୁହେଁ, ଉକ୍ତ ବିଜ୍ଞାପନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ସୁପ୍ରିମକୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କର୍ତ୍ତୃପକ୍ଷଙ୍କ ବିରୋଧରେ ନିଷେଧାଦେଶ ଜାରି ପାଇଁ ମଧ୍ୟ ଆହ୍ବାନ ଦେଇଛି। ଏହାକୁ ନେଇ ଭାରତରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ଭାରତୀୟ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ସମ୍ପାଦକଙ୍କଠାରୁ କ୍ଷମା ଦାବି କରିଛନ୍ତି। କେନ୍ଦ୍ର ଏହାକୁ ଭାରତୀୟ ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ଅଭିହିତ କରିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଓ୍ବାଶିଂଟନ ଗସ୍ତରେ ଥିବାବେଳେ ନ୍ୟୁୟର୍କ ସିଟିରୁ ପ୍ରକାଶିତ ବିଜ୍‌ନେସ୍‌ଭିତ୍ତିକ ଦୈନିକ ଖବରକାଗଜ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ଏହାର ଅକ୍ଟୋବର ୧୩ ସଂସ୍କରଣରେ ଏକ ଭାରତ ବିରୋଧୀ ବିଜ୍ଞାପନ ଛାପିଛି, ଯାହାର ଶୀର୍ଷକ ରହିଛି, ‘ଓ୍ବାଣ୍ଟେଡ୍‌ ମୋଦିସ୍‌ ମେଗ୍‌ନିଟ୍‌ସ୍କି ୧୧’। ଭାରତକୁ ନିବେଶ କ୍ଷେତ୍ରରେ ଅସୁରକ୍ଷିତ କରିଦେଇଥିବା ଅଧିକାରୀମାନଙ୍କୁ ଦେଖନ୍ତୁ ବୋଲି ଶିରୋନାମା ତଳେ କ୍ୟାଚ୍‌ଲାଇନ୍‌ ଦିଆଯାଇଛି। ଲେଖାଯାଇଛି ଯେ, ମୋଦି ସରକାରଙ୍କ ଏହି ୧୧ ଅଧିକାରୀ ରାଜନୈତିକ ଓ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ପ୍ରତିଶୋଧ ନେବା ପାଇଁ ସରକାରୀ ସଂସ୍ଥାଗୁଡ଼ିକୁ ଲଗାଇ ଆଇନକୁ ଶେଷ କରିଦେଇଛନ୍ତି। ତେଣୁ ଏହି ୧୧ ଜଣଙ୍କ ବିରୋଧରେ ଗ୍ଲୋବାଲ ମେଗ୍‌ନିଟ୍‌ସ୍କି ହ୍ୟୁମାନ ରାଇଟ୍ସ ଆକାଉଣ୍ଟାବିଲିଟି ଆକ୍ଟ ଅଧୀନରେ ଅର୍ଥନୈତିକ ଓ ଭିଜା କଟକଣା ଜାରି କରିବାକୁ ଆମେରିକା ସରକାରଙ୍କୁ ଅନୁରୋଧ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଏକ ବିପଜ୍ଜନକ ନିବେଶସ୍ଥଳ ପାଲଟିଛି ବୋଲି ଏଥିରେ କୁହାଯାଇଛି। ବିଜ୍ଞାପନରେ ଅର୍ଥମନ୍ତ୍ରୀ ସୀତାରାମନଙ୍କ ସହ ଆଣ୍ଟ୍ରିକ୍ସ କର୍ପୋରେଶନ ଚେୟାରମ୍ୟାନ୍‌ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଅତିରିକ୍ତ ଆଟର୍ନି ଜେନେରାଲ ଏନ୍‌. ଭେଙ୍କଟରମଣ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ଭି.ରାମାସୁବ୍ରମଣ୍ୟମ୍‌, ପିସି ସ୍ପେଶାଲ ଲ’ ଜଜ୍‌ ଚନ୍ଦ୍ରଶେଖର, ସିବିଆଇ ଡିଏସ୍‌ପି ଆଶିଷ ପାରିକ, ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ର, ଉପନିର୍ଦ୍ଦେଶକ ଆର୍‌. ରାଜେଶ ଏବଂ ଏ. ସାଦିକ୍‌ ମହମ୍ମଦ ପ୍ରମୁଖଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି, ଯାହାକି ଭାରତକୁ ପଥଚ୍ୟୁତ କରିବା ନେଇ ଆମେରିକୀୟ ଲବିଷ୍ଟମାନଙ୍କ ଯୋଜନାକୁ ପ୍ରଭାବିତ କରିପାରେ। ତେଣୁ ଆମେରିକା ସରକାର ଏହି ସମସ୍ତଙ୍କ ବିରୋଧରେ କଠୋର କଟକଣା ଜାରି କରନ୍ତୁ। ଆମେରିକୀୟ ସଙ୍ଗଠନ ଫ୍ରଣ୍ଟିୟର ଅଫ୍‌ ଫ୍ରିଡମ୍‌ ପକ୍ଷରୁ ଏହି ବିଜ୍ଞାପନ ଜାରି କରାଯାଇଛି। ଏହା ପଛରେ ଦେବାସ୍‌ ମଲ୍ଟିମିଡିଆ ସହପ୍ରତିଷ୍ଠାତା ରାମଚନ୍ଦ୍ରନ ବିଶ୍ୱନାଥନ୍‌ଙ୍କ ହାତ ଥିବା କୁହାଯାଉଛି।

ମେଗ୍‌ନିଟ୍‌ସ୍କି ଆଇନରେ କ’ଣ ଅଛି

ମେଗ୍‌ନିଟ୍‌ସ୍କି ଆଇନ ଆନୁଷ୍ଠାନିକ ଭାବେ ରୁଷିଆ ଆଣ୍ଡ୍‌ ମୋଲ୍‌ଡୋଭା ଜ୍ୟାକ୍ସନ-ଭାନିକ୍‌ ରିପିଲ୍‌ ଆଣ୍ଡ ସର୍ଗେଇ ମେଗ୍‌ନିଟ୍‌ସ୍କି ରୁଲ୍‌ ଅଫ୍‌ ଦ ଆକାଉଣ୍ଟାବିଲିଟି ଆକ୍ଟ, ୨୦୧୨ ରୂପେ ପରିଚିତ। ଉକ୍ତ ଆଇନକୁ ଦୁଇ ପ୍ରମୁଖ ଦଳ ରିପବ୍ଲିକାନ୍‌ ପାର୍ଟି ଓ ଡେମୋକ୍ରାଟିକ୍‌ ପାର୍ଟିର ସମର୍ଥନ ମିଳିବା ପରେ ଏହା ଆମେରିକା କଂଗ୍ରେସରେ ଗୃହୀତ ହୋଇଥିଲା। ୨୦୧୨ ଡିସେମ୍ବରରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଏହା ଉପରେ ମୋହର ଦେଇଥିଲେ। ଗ୍ଲୋବାଲ ମେଗ୍‌ନିଟ୍‌ସ୍କି ଆକ୍ଟ, ୨୦୧୬ ଆମେରିକା ସରକାରଙ୍କୁ ବିଦେଶର ସରକାରୀ ଅଧିକାରୀମାନଙ୍କ ବିରୋଧରେ ବିଶ୍ୱବ୍ୟାପୀ କାର୍ଯ୍ୟାନୁଷ୍ଠାନର କ୍ଷମତା ପ୍ରଦାନ କରିଥାଏ। ମାନବାଧିକାର ଉଲ୍ଲଂଘନକାରୀ କିମ୍ବା ବଡ଼ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି, ଭିଜା ରଦ୍ଦ ସହ ଆମେରିକାକୁ ସେମାନଙ୍କ ପ୍ରବେଶ ଉପରେ କଟକଣା ଜାରି ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି।

ବିଜ୍ଞାପନ ପଛରେ ରାମଚନ୍ଦ୍ରନ୍‌

ବେଙ୍ଗାଲୁରୁସ୍ଥିତ ଦେବାସ୍‌ ମଲ୍ଟିମିଡିଆ ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ବ୍ୟବସାୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେଶନ ଲିଃ ମଧ୍ୟରେ ଉପଗ୍ରହ ପରିଚାଳନା ସମ୍ପର୍କିତ ୨୦୦୫ର ଏକ ଡିଲ୍‌କୁ ନେଇ ବିବାଦ ସୃଷ୍ଟି ହେବାରୁ ତାହାକୁ ରଦ୍ଦ କରାଯାଇଥିଲା। ନିକଟରେ ଦେବାସ୍‌ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ରାମଚନ୍ଦ୍ରନ ବିଶ୍ୱନାଥନ୍‌ ନିଜ ପ୍ରତିକ୍ରିୟାରେ ଏହି ବିଜ୍ଞାପନ ଛପାଇଥିବା କୁହାଯାଉଛି। ୨୦୧୫ରେ ଦେବାସ୍‌ ମଲ୍ଟିମିଡିଆ ସପକ୍ଷରେ ଇଣ୍ଟରନ୍ୟାଶନାଲ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ପ୍ରକାଶିତ ୧.୩ ବିଲିୟନ୍‌ ଡଲାର ଡିଲ୍‌ ସମ୍ପର୍କିତ ଏକ ରାୟକୁ ଦିଲ୍ଲୀ ହାଇକୋର୍ଟ ଗତ ଅଗଷ୍ଟରେ ଖାରଜ କରିଦେଇଥିଲେ। ସରକାର ବିଶ୍ୱନାଥନ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମରିସସ୍‌ରେ ଥିବା ଦେବାସ୍‌ ମଲ୍ଟିମିଡିଆର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟି ବା ପାରସ୍ପରିକ ଆଇନଗତ ସହଯୋଗ ଚୁକ୍ତି (ଏମ୍‌ଏଲ୍‌ଏଟି) ଜରିଆରେ ଅଚଳ କରିଦେଇଥିଲେ। ତାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରିଆଣିବା ଲାଗି ରେଡ୍‌ କର୍ନର ନୋଟିସ୍‌ ଜାରି କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଥିଲେ। ସେହି ଅଗଷ୍ଟ ମାସରେ ଦେବାସ୍‌ ମଲ୍ଟିମିଡିଆ ଆମେରିକାରେ ଥିବା ଆଣ୍ଟ୍ରିକ୍ସ କର୍ପୋରେଶନ୍‌ର ଆକାଉଣ୍ଟରୁ ୮୭,୪୫୭.୪୭ ଡଲାର ସିଜ୍‌ କରିଥିଲା। ଏଥିସହ ଆମେରିକା, ଫ୍ରାନ୍ସ ଓ କାନାଡାର କେତେକ କୋର୍ଟରୁ ଆଇସିସି ଆଓ୍ବାର୍ଡ ଭିତ୍ତିରେ ଅନୁକୂଳ ଅନୁମତି ମିଳିବା ପରେ ପ୍ୟାରିସ୍‌ରେ ଥିବା ଆଣ୍ଟ୍ରିକ୍ସର ଏକ ସମ୍ପତ୍ତିକୁ ମଧ୍ୟ ହାତେଇଥିଲା। ଏବେ ଆମେରିକାର ଜଣେ ରିପବ୍ଲିକାନ୍‌ ପାର୍ଟି ସିନେଟରଙ୍କ ପାଣ୍ଠିରେ ପରିଚାଳିତ ଦକ୍ଷିଣପନ୍ଥୀ ଏନ୍‌ଜିଓ ଫ୍ରଣ୍ଟିୟର୍ସ ଅଫ୍‌ ଫ୍ରିଡମ୍‌ ଦ୍ୱାରା ଏହି ବିବାଦୀୟ ବିଜ୍ଞାପନ ପ୍ରକାଶ ପାଇଛି। ବହୁକୋଟି ଟଙ୍କା ଧରି ଆମେରିକାକୁ ପଳାୟନ କରିଥିବା ରାମଚନ୍ଦ୍ର ଭାରତରେ ପୁଞ୍ଜିନିବେଶ କ୍ଷେତ୍ରରେ ନକାରାମତ୍କ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଏପରି କରିଥିବା ମନେକରାଯାଉଛି।

ମେଗ୍‌ନିଟ୍‌ସ୍କି କିଏ

ୟୁକ୍ରେନ୍‌ରେ ଜନ୍ମିତ ରୁଷୀୟ ଟ୍ୟାକ୍ସ ଲୟର ସର୍ଗେଇ ଲିଓନିଡୋଭିଚ୍‌ ମେଗ୍‌ନିଟ୍‌ସ୍କି ଜଣେ ଟ୍ୟାକ୍ସ ଆଡ୍‌ଭାଇଜର ଥିଲେ। ସେ ନିଜ କ୍ଲାଏଣ୍ଟ ମର୍ହିଟେଜ୍‌ କ୍ୟାପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରତିନିଧିତ୍ୱ କରି ରୁଷିଆର ସରକାରୀ ଅଧିକାରୀମାନଙ୍କ ଅନେକ ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାସ କରିଥିଲେ। ରୁଷିଆ ସରକାର ୨୦୦୮ରେ ମେଗ୍‌ନିଟ୍‌ସ୍କିଙ୍କୁ ଗିରଫ କରି ଜେଲରେ ପୂରାଇବାର ୧୧ ମାସ ପରେ ଅର୍ଥାତ୍‌ ୨୦୦୯ ନଭେମ୍ବର ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। ରୁଷୀୟ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ଲାଗି ଓବାମା ପ୍ରଶାସନ ମେଗ୍‌ନେଟ୍‌ସ୍କି ଆଇନ ପ୍ରଣୟନ କରିଥିଲେ। ପରବର୍ତ୍ତୀ ସମୟରେ ୟୁରୋପୀୟ ସଂଘ (ଇୟୁ) ସମେତ କାନାଡା, ବ୍ରିଟେନ ଓ ଅନ୍ୟ କେତେକ ଦେଶରେ ଅନୁରୂପ ଆଇନ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁ ନିକଟ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଗୋଟିଏ ପରିବାରର ୪…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ

କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri