Categories: ଜାତୀୟ

‘ମୋଦି ରାଜଧର୍ମ ପାଳନ କରନ୍ତୁ’

ନୂଆଦିଲ୍ଲୀ,୫ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହରେ ଯବାନମାନଙ୍କୁ ସମ୍ବୋଧିତ କରିବାର ଦିନକ ପରେ କଂଗ୍ରେସ ତାଙ୍କୁ ରାଜଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛି। ଚାଇନାର ଅତିକ୍ରମଣ ସମ୍ପର୍କରେ ଦେଶବାସୀ ବାସ୍ତବ କଥା ଜାଣିବାକୁ ଚାହୁଁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।
ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଶନିବାର ଏକ ଭର୍ଚୁଆଲ ପ୍ରେସ୍‌ ମିଟ୍‌ରେ ମେ’ରୁ ଜୁନ ମାସ ପର୍ଯ୍ୟନ୍ତ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦର ସାଟେଲାଇଟ୍‌ ଚିତ୍ର ଦେଖାଇଛନ୍ତି। ଉକ୍ତ ଅଞ୍ଚଳରେ ଚାଇନା ପକ୍ଷରୁ ନିର୍ମାଣ କରାଯାଇଥିବା ଢାଞ୍ଚାକୁ ଦେଖାଇ ପ୍ରଧାନମନ୍ତ୍ରୀ ଏହା ଉପରେ ସତ କୁହନ୍ତୁ ବୋଲି ସେ ଦାବି କରିଛନ୍ତି। ମୋଦି ‘ଭ୍ରମ ଓ ଭ୍ରାନ୍ତି’ର ରାଜନୀତି ବନ୍ଦ କରି ଚାଇନାକୁ ନାଲିଆଖି ଦେଖାଇବା ସହ ଭାରତୀୟ ଭୂଖଣ୍ଡକୁ ସୁରକ୍ଷା ଦିଅନ୍ତୁ। ଏହା ହେଉଛି ଏକମାତ୍ର ରାଜଧର୍ମ, ଯାହାକୁ ପ୍ରଧାନମନ୍ତ୍ରୀ ପାଳନ କରିବା ଉଚିତ ବୋଲି ସିବଲ କହିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶଭକ୍ତ ଲଦାଖବାସୀ ଚାଇନାର ଅନୁପ୍ରବେଶ ବିରୋଧରେ ସ୍ବର ଉତ୍ତୋଳନ କରି ଭାରତକୁ ସତର୍କ କରାଉଛନ୍ତି। ସେମାନଙ୍କ ସତର୍କବାଣୀକୁ ଅଣଦେଖା କଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।

Share