Categories: ଜାତୀୟ

ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ସମୟରେ ସେ ଜନତାଙ୍କୁ ସମ୍ବୋଧିତ କରିଥିଲେ। ମୋଦି ନିଜ ଅଭିଭାଷଣରେ କହିଛନ୍ତି, ଇମ୍ଫାଲ ସମେତ ମଣିପୁରର ଲକ୍ଷାଧିକ ଲୋକଙ୍କ ପାଇଁ ଓ ବିଶେଷ କରି ଆମର ଭଉଣୀମାନଙ୍କ ପାଇଁ ଆଜି ଏକ ବଡ଼ ଦିନ। ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମଣିପୁର ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଏଠାକାର ଲୋକଙ୍କ ଜଳ ସମସ୍ୟା ହ୍ରାସ ହୋଇପାରିବ। ଏହି ପ୍ରକଳ୍ପ ଜରିଆରେ ଲକ୍ଷାଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି କରୋନା ସଙ୍କଟରେ ଦେଶ ନା ଅଟକିଛି, ନା ବନ୍ଦ ହୋଇଛି ଓ ନା ଥକିଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ଆସିନାହିଁ, ସେପର୍ଯ୍ୟନ୍ତ ଆମକୁ ଦୃଢ଼ତାର ସହ ଲଢ଼ିବାକୁ ପଡ଼ିବ। ତେବେ ରକ୍ଷାବନ୍ଧନ ଉପଲକ୍ଷେ ଏହି ଜଳ ପ୍ରକଳ୍ପ ଉତ୍ତର-ପୂର୍ବ ଭଉଣୀମାନଙ୍କ ପାଇଁ ଏକ ଭେଟି ବୋଲି ମୋଦି କହିଛନ୍ତି। ଚଳିତ ବର୍ଷ ଦେଶରେ କରୋନା ଆତଙ୍କ ଖେଳାଇବା ପରେ ଏବେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ରାଜ୍ୟରେ ବହୁ କ୍ଷତି ଘଟାଇଛି। ଏଥିରେ ଅନେକ ଲୋକ ବାସହରା ହୋଇଥିବା ବେଳେ ଅନେକଙ୍କ ଜୀବନ ହାନି ଘଟିଛି। ତେବେ ଏହି ବିପଦ ସମୟରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କ ସହ ଛିଡା ହୋଇଛନ୍ତି। ରାଜ୍ୟକୁ ଯଥାସମ୍ଭବ ସହାୟତା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି।

Share