ନୂଆଦିଲ୍ଲୀ,୨୧।୫: ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ ଘୋଷଣା କରିବା ପରେ ମୋଦି ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଡିଜିଏଚ୍ଏସ୍ ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ପରାମର୍ଶ ଜାରି କରିଛି, ବିଶେଷକରି ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଭଳି ଉଚ୍ଚ ବିପଦପୂର୍ଣ୍ଣ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନଙ୍କୁ ଟାର୍ଗେଟ କରି କୁହାଯାଇଛି । ପରାମର୍ଶରେ କୁହାଯାଇଛି ଯେ ଯଦି କୌଣସି ଯାତ୍ରୀ ଜ୍ୱର, ମୁଣ୍ଡବିନ୍ଧା, ଦୁର୍ବଳତା, ବାନ୍ତି, ଡାଇରିଆ, ଗଳା ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦିଏ, ତେବେ ସେମାନେ ଇମିଗ୍ରେସନ କ୍ଲିୟର କରିବା ପୂର୍ବରୁ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବା ଉଚିତ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସମନ୍ୱିତ ରୋଗ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ ଇବୋଲାର କୌଣସି ମାମଲା ରିପୋର୍ଟ ହୋଇନାହିଁ ଏବଂ ଦେଶ ପ୍ରତି ବର୍ତ୍ତମାନର ବିପଦ ଅତ୍ୟନ୍ତ କମ୍ ରହିଛି । ତଥାପି, ସତର୍କତାମୂଳକ ପଦକ୍ଷେପ ଭାବରେ, ପର୍ଯ୍ୟବେକ୍ଷଣ ଏବଂ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରାଯାଉଛି।
ଆଡଭାଇଜରୀରେ ଏହା ମଧ୍ୟ କୁହାଯାଇଛି ଯେ ସଂକ୍ରମିତ ରୋଗୀଙ୍କ ରକ୍ତ କିମ୍ବା ଶରୀର ତରଳ ସଂସ୍ପର୍ଶରେ ଆସିଥିବା ଯେକୌଣସି ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବ । ମୋଦି ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଭାରତରେ ପହଞ୍ଚିବାର ୨୧ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରିବା ଉଚିତ।
ଏହା ଉଲ୍ଲେଖନୀୟ ଯେ ବିମାନବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ତଦାରଖ କରୁଛି। ଇବୋଲା ଏକ ଅତ୍ୟନ୍ତ ବିପଜ୍ଜନକ ରୋଗ ହୋଇଥିବାରୁ, କେନ୍ଦ୍ର ସରକାର ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି।