କାର୍ଯ୍ୟରେ ଲାଗୁନି ଅତ୍ୟାଧୁନିକ ପରିସ୍ରାଗାର

ବ୍ରହ୍ମପୁର ଅଫିସ,୨୧ା୧୦: ସ୍ବଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରରେ ଅତ୍ୟାଧୁନିକ ପରିସ୍ରାଗାର ସ୍ଥାପନ କରାଯାଇଛି। କିନ୍ତୁ ଏ ଗୁଡିକ ବ୍ୟବହୃତ ହେଉ ନ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପକ୍ଷରୁ ସହରର ଷ୍ଟାଡିୟମ ରାସ୍ତା ଓ ବଡ ବଜାରଠାରେ ଅତ୍ୟାଧୁନିକ ପରିସ୍ରାଗାର ନିର୍ମାଣ କରାଯାଇଛି। ଗୋଟିଏ ପରିସ୍ରାଗାର ପିଛା ୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୧ ଏପ୍ରିଲରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ ଅତ୍ୟାଧୁନିକ ବାୟୋ ଲୁ ଲଗାଯାଇଛି। ଯାହାଦ୍ୱାରା ଖୁବ କମ୍‌ ପାଣି ବ୍ୟବହାର କରାଯିବ। ଭୁବନେଶ୍ୱରରେ ଏଭଳି ଅତ୍ୟାଧୁନିକ ପରିସ୍ରାଗାର ନିର୍ମାଣ ହୋଇଥିବା ବେଳେ ବ୍ରହ୍ମପୁରରେ ଏହା ପ୍ରଥମ କରି କରାଯାଇଥିଲା। କିନ୍ତୁ ବ୍ୟବହାରର କିଛି ଦିନ ପରେ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ବ୍ୟବହାର ପରିବର୍ତ୍ତେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କାର ପରିସ୍ରାଗାର ବର୍ତ୍ତମାନ ଅଚଳ ହୋଇପଡିଛି। ଏହା ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା କବେଳେ ପରିସ୍ରାଗାର ନ ଥିବାରୁ ଦୁର୍ଗନ୍ଧ ହେଉଛି। ବିଏମ୍‌ସି ପକ୍ଷରୁ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। କେବଳ ବଡ ବଜାର ଅଞ୍ଚଳରେ ଥିବା ପରିସ୍ରାଗାରଟି ବ୍ୟବହାର ଉପଯୋଗୀ ହୋଇପାରିଥିତ୍ବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଏ ନେଇ ସାନିଟେଶନ ବିଭାଗର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ଏହି ପରିସ୍ରାଗାରର ରକ୍ଷଣାବେକ୍ଷଣ ନିମନ୍ତେ ସେଠାକାର ଜଣେ ବ୍ୟବସାୟୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ବ୍ୟବସାୟୀଙ୍କ ଉଚିଚ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ବନ୍ଦ ହୋଇ ପଡି ରହିଥିବା ସେ କହିଛନ୍ତି।