Categories: ଫୁରସତ

ମଡେଲ ଜାଆଁଳା ଭଉଣୀ

୨୦୧୦ରେ ଜ୍ୟାକି ଓ ତାଙ୍କ ସ୍ବାମୀ କେଭିନ କ୍ଲିମେଣ୍ଟସ୍‌ ଜାଆଁଳା ଝିଅର ମାତାପିତା ହେଲେ। ଦୁଇ ଝିଅ ବହୁତ ସୁନ୍ଦର ଥିଲେ। ବଡ଼ ହେବା ସହ ତାଙ୍କ ସୌନ୍ଦର୍ଯ୍ୟ ବଢିବାକୁ ଲାଗିଲା। ସୁନ୍ଦର ତ୍ୱଚା ସାଙ୍ଗକୁ ରେଶମୀ କେଶ, ସୁନ୍ଦର ଚେହେରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ସମସ୍ତେ କହିଲେ ଏଇ ଦୁଇ ଭଉଣୀ ନିଶ୍ଚୟ ମଡେଲ ହେବେ। ଲୋକଙ୍କର ଏଭଳି କଥା ଶୁଣି ମା’ ଜ୍ୟାକି, ଲସ୍‌ ଆଞ୍ଜେଲସ୍‌ର ଏକ କମ୍ପାନୀ ସହ ଦୁଇ ଝିଅଙ୍କର ମଡେଲିଂ ଚୁକ୍ତି କଲେ। ଜ୍ୟାକିଙ୍କର ଏକ ପୁଅ ବି ଅଛି। ୨-୩ ମାସ ଏହି ଜାଆଁଳା ଭଉଣୀ ମଡେଲିଂ କରିବା ଭିତରେ ଜ୍ୟାକି ଅନୁଭବ କଲେ ଯେ ତିନି ପିଲାଙ୍କ ଦେଖାରଖା ଓ ପରିବାର ଭିତରେ ସେ ଭଲରେ ସନ୍ତୁଳନ ରକ୍ଷା କରିପାରୁ ନାହାନ୍ତି। ତାସହ ଭାବିଲେ ଏତେ କମ୍‌ ବୟସରୁ ପିଲାଙ୍କୁ ମଡେଲିଂ କରାଇବା, ହେଭି ମେକ୍‌ଅପ୍‌ ଦେବା ଠିକ୍‌ ନୁହେଁ। ତେଣୁ ଝିଅମାନଙ୍କର ମଡେଲିଂ ବନ୍ଦ କରିଦେଲେ। କିନ୍ତୁ ୩ ମାସ ମଡେଲିଂ କରିବା ପରେ ଦୁଇ ଭଉଣୀ ମଡେଲିଂ ଛାଡିବାକୁ ଚାହୁଁ ନ ଥିଲେ। ତାଙ୍କୁ ଏଇ କାମ ବହୁତ ଭଲ ଲାଗୁଥିଲା। ଏହା ଦେଖି ମା’ ଜ୍ୟାକି ତାଙ୍କୁ ୭ ବର୍ଷ ବୟସର ହେଲେ ପୁଣିଥରେ ମଡେଲିଂ ଆରମ୍ଭ କରିବେ ବୋଲି କହିଲେ। ଆଉ ଏବେ ସେମାନେ ଡ୍ୟାନ୍ସ ଓ ସୁଇମିଂ ଶିଖି ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ବୁଝାଇଲେ। ଏହା ଶୁଣି ଦୁହେଁ ଖୁସି ହୋଇଗଲେ। ଏବେ ଦୁହେଁ ୭ ବର୍ଷ ବୟସର। ଆଉ ଜ୍ୟାକି ଦୁଇ ଝିଅଙ୍କର ମଡେଲିଂ ବି ପୁନଃ ଆରମ୍ଭ କରିଦେଇଛନ୍ତି। ସୁନ୍ଦର ପୋଷାକ ସାଙ୍ଗକୁ ମା’ ତାଙ୍କୁ ଦିଅନ୍ତି ଲାଇଟ୍‌ ମେକ୍‌ଅପ୍‌। ଆଉ ନିଜେ ସେମାନଙ୍କର ଫଟୋ ବି ଉଠାନ୍ତି। ମଡେଲିଂକୁ ଦୁଇ ଭଉଣୀ ବହୁତ ଏନଜୟ କରୁଛନ୍ତି। ବଡ଼ ହେଲେ ସୁପର ମଡେଲ ହେବାର ଇଛା ରଖିଛନ୍ତି।

Share