ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୯ (ଅରୁଣ ସାହୁ/ମନୋରଞ୍ଜନ ରଣା ): ଘରେ ଘରେ ହେବ ବୃକ୍ଷ ରୋପଣ,କମିବ ପ୍ରଦୁଷଣ, ସୃଷ୍ଟି ହେବ ଜଙ୍ଗଲ, ଜଙ୍ଗଲ ସମ୍ପଦ ଯୋଗୁ ଲୋକେ ହେବେ ସ୍ବାବଲମ୍ବୀ। କିଛି ଏଭଳି ପ୍ରୟାସ ଆରମ୍ଭ କରିଛି ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ। ଶନିବାର ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣୀଗାଁ ବନାଞ୍ଚଳର ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଏକ ଭ୍ରାମ୍ୟମାଣ ଚାରା ବିତରଣ ପାଇଁ ଯାନ ବୁଲିବ ଏହାର ଉଦ୍ଘାଟନ ହୋଇଯାଇଛି। ଏହାକୁ ରାଜ୍ୟ ପିସିସିଏଫ୍ ସୁରେଶ ପନ୍ତ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ଆର୍ସିସିଏଫ୍ ବିଶ୍ବନାଥ ନିଳନବର, ବାଲିଗୁଡା ଡିଏଫ୍ଓ ଘନଶ୍ୟାମ ମହନ୍ତ, ଏସ୍ସିଏଫ୍ ମନୋରଞ୍ଜନ ବାଗ, ସୁର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଛନ୍ତି। ଉକ୍ତ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଉକ୍ତ ବନାଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗିଆ ଏବଂ ସରାମୁଳି ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରିବା ସହ ଚାରା ବିକ୍ରୀ କରିବ ବୋଲି ବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି। ଏଭଳି ଭ୍ରାମ୍ୟମାଣ ଯାନ ଗାଁ ଗାଁ ବୁଲି ଚାରା ବିକ୍ରୀ କରିବା ଘଟଣା ପ୍ରଥମ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ଏହି ଯାନ ବୁଲିବା ସମୟରେ ଗୋଟିଏ ନାରା ଦିଆଯାଇଛି ଯେ ‘ବୃକ୍ଷ ହିଁ ଏକ ବିକଳ୍ପ, ଗଛ ଲଗାଇବ ଗୋଟିଏ ଫାଇଦା ଦେବ କୋଟିଏ’ ବୋଲି କୁହାଯିବା ସହ ଦାରିଦ୍ରତା ଅବା ପ୍ରଦ୍ୟୁଷଣ ଜଙ୍ଗଲ ହିଁ ତାର ସମାଧାନ ବୋଲି ଲୋକଙ୍କୁ କୁହାଯାଇଛି। ଏଥି ସହ ମା’ଙ୍କ ନାମରେ ଗଛଟିଏ ଲଗାନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ବନପାଳ ଯୋଗେଶ୍ୱର ଧାରୁଆଙ୍କ ସମେତ ବନରକ୍ଷୀ ଶ୍ରୀରାମ ପଣ୍ଡା,ମାର୍କ ମଲିକ,ଆଶିଷ ପ୍ରଧାନ,ସନ୍ତୋଷ ପ୍ରଧାନ,ଇନ୍ଦ୍ରମଣୀ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦ୍ଘାଟନ ପରେ ଭ୍ରାମ୍ୟମାଣ ଯାନଟି ବିଭିନ୍ନ ପଞ୍ଚାୟତ ଅଭିମୁଖେ ଯାତ୍ରା କରିଥିଲା, ସେଠାରେ ବନ ସଂରକ୍ଷଣ ସମିତିର ସଦସ୍ୟ ମାନେ ସ୍ବାଗତ କରିଥିଲେ।


