ଏମ୍‌କେସିଜିରେ ଏମ୍‌ଏଲ୍‌ସିୟୁ, ଏସ୍‌ଏମ୍‌ଆଇଟି ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ, ୨୪।୩: ରାଜ୍ୟରେ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ରାଜ୍ୟ ସରକାର ନର୍ସିଂ ଅଫିସର୍ସମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ମିଡଓ୍ବାଇଫେରି ଲିଡ୍‌ କେୟାର୍‌ ୟୁନିଟ୍‌(ଏମ୍‌ଏଲ୍‌ସିୟୁ) ଏବଂ କଲେଜ ଅଫ ନର୍ସିଂ ପରିସରରେ ଷ୍ଟେଟ୍‌ ମିଡୱାଇଫେରି ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ(ଏସ୍‌ଏମ୍‌ଆଇଟି) ଉଦ୍‌ଘାଟିତ ହୋଇଯାଇଛି।

କଲେଜ ଅଫ ନର୍ସିଂ ପରିସରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ଶାଲିନୀ ପଣ୍ଡିତ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ଡ. ବୃନ୍ଦା ଡି. ମଧ୍ୟ ଉପସ୍ଥିତ ରହିଥିଲେ। ଏହି ସ୍ବତନ୍ତ୍ର ପ୍ରଶିକ୍ଷଣର ଉଦ୍ଦେଶ୍ୟ ମା’ ଓ ଶିଶୁଙ୍କୁ କିପରି ସ୍ବତନ୍ତ୍ର ସେବା ପ୍ରଦାନ କରାଯାଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏମ୍‌ଇଟି ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ଓ ନର୍ସିଂର ନିର୍ଦ୍ଦେଶକ ଡା. ରାମଚନ୍ଦ୍ର ରାଉତ, ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର, ମେଡିକାଲର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ମଞ୍ଚାସୀନ ଥିଲେ। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗ ପ୍ରଫେସର ମାହିଜା ସାହୁ, ୟୁନିସେଫ୍‌ର ଲିନା ସୋମ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ରାଜଲକ୍ଷ୍ମୀ ମିଶ୍ର ସ୍ବାଗତ ଭାଷଣ ଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗର୍ଭବତୀ ଏବଂ ନବଜାତ ଶିଶୁଙ୍କୁ କିପରି ସ୍ବତନ୍ତ୍ର ଚିକିତ୍ସାସେବା ପ୍ରଦାନ କରାଯିବ ସେ ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ସହିତ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ଏହି କାର୍ଯ୍ୟକ୍ରମ ଜରିଆରେ ଦେଢ଼ବର୍ଷ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଶୁକ୍ରବାରଠାରୁ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ ଏମ୍‌କେସିଜି ସହିତ ବିଭିନ୍ନ ହସ୍ପିଟାଲର ୩୦ଜଣ ନର୍ସିଂ ଅଫିସର୍ସଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।