ତିଗିରିଆ, ୧୩ା୨( ଜାଫର ଖଁା ): କଟକ ଜିଲା ତିଗିରିଆ ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ଶେଷ କରି ଫେରିଲା ବେଳେ ଶତାଧିକ ଭାଜପା କର୍ମୀ ପୋଲିସ ଉପସ୍ଥିତିରେ ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡାମାଡ଼ କରିଛନ୍ତି। ସେହିପରି ସମିତି ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଭାଜପା କର୍ମୀମାନେ ମଦ ପିଇ ମହିଳା ପ୍ରତିନିଧିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବେକରୁ ୨୦ ଗ୍ରାମ ଓଜନର ସୁନାଚେନ ନେଇ ଯାଇଥିବା ତିଗିରିଆ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଭାଜପା କର୍ମୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ତିଗିରିଆ ସମିତି ବୈଠକ ବୁଧବାର ମଧ୍ୟାହ୍ନ ୧୨ ଟାରେ ଶେଷ ହୋଇଥିଲା। ପରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସଭାଗୃହରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ଥିବା ଗାଡ଼ି ପାଖକୁ ଯାଉଥିଲେ। ଭାଜପା କର୍ମୀମାନେ ପୂର୍ବରୁ ବ୍ଲକ ଫାଟକ ପାଖରେ ଜଗି ରହିଥିଲେ। ବିଧାୟକ ଗାଡ଼ିରେ ବସିବା ପୂର୍ବରୁ ପୋଲିସ ଫାଟକ ଖୋଲି ଦେବାରୁ କର୍ମୀମାନେ ଧସେଇ ପଶି ବିଧାୟକ ଓ ମହିଳାଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରି ବିଧାୟକଙ୍କୁ ଗାଡ଼ିରେ ବସିବାକୁ ଦେଇ ନ ଥିଲେ। ଗାଡ଼ିରେ ବିଧାୟକ ବସିଯିବାରୁ ଭାଜପା କର୍ମୀ ଗାଳିଗୁଲଜ କରି ତାଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡା ମାଡ଼ କରିଥିଲେ। ପରେ ଭାଜପା କର୍ମୀମାନେ ବାରମ୍ବାର ବ୍ଲକ ଫାଟକ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବାରୁ ପୋଲିସ ସହାୟତାରେ ଯାଇ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। ଭାଜପା କର୍ମୀଙ୍କ ଉତ୍ପାତ ଏତେ ବଢ଼ି ଯାଇଥିଲା ଯେ, ବ୍ଲକ ଭିତରକୁ କାହାକୁ ନ ଛାଡ଼ି ଆତଙ୍କ ରାଜ ଚଳାଇ ଥିଲେ। ଏ ନେଇ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାରାଣୀ ନାୟକ ଥାନାରେ ଏତଲା ଦେବାରୁ ନଂ. ୨୪/୨୫ରେ ମାମଲା ରୁଜୁ କରାଯାଇଛି। ନୂଆପାଟଣାର ପ୍ରହଲ୍ଲାଦ ତୋଷ ଓ ପାଞ୍ଚଗଁାର କୁମର ଧଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଏସ୍ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି।
ନେଇ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପଚାରିବାରେ ସମିତି ବୈଠକ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଯଦି ବିରୋଧ କରିବାର ଥିଲା ସମିତି ବୈଠକରେ କଲେ ନାହିଁ। ବାହାରେ ଭାଜପା କର୍ମୀ ମଦ ପିଇ ମାତାଲ ହୋଇ ଏଭଳି କରିବା ନିନ୍ଦନୀୟ କଥା ବୋଲି ସେ କହିଥିଲେ। ଅଧ୍ୟକ୍ଷା ସାରାଣୀ ନାୟକ ଗାଳିଗୁଲଜ କରିବା ଓ ପୋଲିସ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶି ସୁନା ଚେନ ଲୁଟିବା ଇଏ କୋଉ ପ୍ରକାର ସରକାରଙ୍କ ମା’ଙ୍କୁ ସମ୍ମାନ ବୋଲି ସେ କହିଛନ୍ତି।


