ଦେବଗଡ,୬।୩(ଶଶାଙ୍କ ଶେଖର ଝାଙ୍କର):ପ୍ରଧାନପାଟ ଜଳ୍ପ୍ରପାତ ସମନ୍ବିତ ଇକୋ ଟୁରିଜିମ ସର୍କୀଟର ଉନ୍ନୟନ ନିମନ୍ତେ ଅନୁମତି ପ୍ରଦାନ ପାଇଁ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ବନ ବିଭାଗର ପିସିସିଏଫଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଧାୟକ ବିଶ୍ୱାଳ ଭୂବନେଶ୍ୱରର ଅରଣ୍ୟ ଭବନରେ ପିସିସିଏଫଙ୍କୁ ସାକ୍ଷାତ କରି ଏ ମର୍ମରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଦେବଡସ୍ଥିତ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ଓ ଏହାର ଚତୁଃପାର୍ଶ୍ୱରେ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ନିମନ୍ତେ(ପ୍ରଧାନପାଟ ସମନ୍ବିତ ଉନ୍ନୟନ ସର୍କୀଟ)ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଇତିମଧ୍ୟରେ ୧୬ କୋଟି ୬୬ ଲକ୍ଷ ୭୫ ହଜାର ୭୦୦ ଟଙ୍କାର ଆର୍ଥୀକ ଅନୁଦାନକୁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାତ୍ର ଏହି ପର୍ଯ୍ୟଟନ ସ୍ଥଳୀଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବାରୁ ଏହାର କାର୍ଯ୍ୟାନ୍ବୟନ ନିମନ୍ତେ ବିଭାଗୀୟ ଅନୁମତି ବାଧକ ସାଜିଛି । ଫଳରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବାନେଇ ଆଶଙ୍କା ସୃଷ୍ଟି ହେବାସହ ଉପରୋକ୍ତ ଅନୁଦାନ ଅର୍ଥ ଫେରିଯିବା ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପ୍ରସିଦ୍ଧ ପ୍ରଧାନପାଟ ଜଳ ପ୍ରପାତ ସମଗ୍ର ରାଜ୍ୟରେ ଦେବଗଡ ଜିଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଜିଲାର ଆର୍ଥିକ ଉନ୍ନତି ଘଟିବା ସହ ସ୍ଥାନୀୟ ଲୋକଙ୍କ ନିମନ୍ତେ ଜୀବିକା ସୃଷ୍ଟି କରିବାର ଉଜ୍ୱଳ ସମ୍ଭାବନା ରହିଛି । ଏଣୁ ଏହି ପ୍ରକଳ୍ପର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ଅନୁମତି ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ବିଶ୍ୱାଳ ପିସିସିଏଫଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ର ଜରିଆରେ ଦାବି ଜଣାଇଛନ୍ତି ।
Dharitri – Odisha’s No.1 Odia Daily

