ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ ଅଞ୍ଚଳର ବିକାଶ ସାଙ୍ଗକୁ ଅନେକ ବେରୋଜଗାରୀଙ୍କୁ ମିଳୁଛି ରୋଜଗାର। ସ୍ବାବଲମ୍ବୀ ହେଇପାରୁଛନ୍ତି ସ୍ଥାନୀୟ ଯୁବତୀଯୁବକ ଓ ଅନ୍ୟମାନେ କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜେ ରୋଜଗାରର ବାଟ ବାହାର କରୁଛନ୍ତି। କିଏ ସ୍ବଳ୍ପ ଧନରେ ବ୍ୟବସାୟୀ ଆରମ୍ଭ କରୁଛି ତ ଆଉ କିଏ ଜିରୋରୁ ହିରୋ ହେବା ପର୍ଯ୍ୟନ୍ତ ପରିଶ୍ରମ କରୁଛି। କିନ୍ତୁ ଯିଏ ଯାହା ବି ବ୍ୟବସାୟ କରୁଛନ୍ତି ବିଶେଷ କରି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ସେମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେଉଛି ଓ ସ୍ବାବଲମ୍ବୀ ହେବାର ଆତ୍ମବିଶାସ ବୃଦ୍ଧି ପାଉଛି। ତେବେ ଏବେ ଦେଖାଯାଇଛି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ବ୍ୟବସାୟୀ କରିବାକୁ ଯୁବପିଢ଼ି ବିଶେଷ କରି ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବପିଢ଼ି ସରକାର କିମ୍ବା ଅନ୍ୟ କାହାରି ଉପରେ ନିର୍ଭର ନ କରି ନିଜେ ବ୍ୟବସାୟୀ କରି ପରିବାର ଚଳାଉଥିବା ନଜରକୁ ଆସୁଛି।
ଏଭଳି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଶିକକେତା ଗ୍ରାମର ମିଟୁ ପ୍ରଧାନ। ଜଣେ ଉଚ୍ଚ ଶିକ୍ଷିତ ତଥା ସ୍ନାତକ କରିଥିବା ଯୁବକ ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ଡ଼ୁଲୁରୀ ପାଇନ ବଣ ସମ୍ମୁଖରେ ନିଜ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ତାଙ୍କ ଗ୍ରାମରୁ ଦୈନିକ ୩୦ କିମି ଦୂର ଦାରିଙ୍ଗବାଡ଼ିକୁ ଆସି ଏହି ବ୍ୟବସାୟ ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ କରୁଛନ୍ତି। ସେ ଜଣେ ମେଳାପୀ ଓ ଦାରିଙ୍ଗବାଡ଼ି ଅନ୍ତରଙ୍ଗ ଯୁବ ମହାସଂଘରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରି ଅଞ୍ଚଳରେ ଅନେକ ଲୋକଙ୍କୁ ସାହାଯ୍ୟ କରିଆସୁଥିବା ବେଳେ ତାଙ୍କର ଏହି ଛୋଟ ବ୍ୟବସାୟରୁ ଭବିଷ୍ୟତ ଗଢ଼ୁଥିବାରୁ ଶିକ୍ଷିତ ଯୁବକଙ୍କ ଏହି କାର୍ଯ୍ୟକୁ ନେଇ ସାରା ଦାରିଙ୍ଗବାଡ଼ି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମିଟୁଙ୍କୁ ଉତ୍ସାହିତ କରିବା ପାଇଁ ଚାରିଆଡୁ ତାଙ୍କୁ ଶୁଭେଛାର ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ମିଳୁଛି ‘ଜାଗୃତି’ ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର କର୍ମକର୍ତ୍ତା ଧନେଶ୍ୱର ସାହୁ, ଦିଲୀପ ସାହୁ ପ୍ରମୁଖ ସମସ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି।
Dharitri – Odisha’s No.1 Odia Daily


