ହାଇଦ୍ରାବାଦ୍‌କୁ ଝଟ୍‌କା, ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୨୩।୯: ଆଇପିଏଲ୍‌-୧୩ତମ ସଂସ୍କରଣ ଆରମ୍ଭରୁ ସନ୍‌ରାଉଜର୍ସ ହାଇଦ୍ରାବାଦ୍‌ ଟିମ୍‌କୁ ଝଟ୍‌କା ଲାଗିଛି। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ହାରିଥିବା ହାଇଦ୍ରାବାଦର ଅଭିଜ୍ଞ ଅଲ୍‌ରାଉଣ୍ଡ ମିଚେଲ୍‌ ମାର୍ଶ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ଆଘାତଜନିତ ସମସ୍ୟା ଲାଗି ମାର୍ଶ ଆଇପିଏଲ୍‌ର ଚଳିତ ସିଜନର ବଳକା ମ୍ୟାଚ୍‌ ଖେଳିବେ ନାହିଁ। ଏହି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡରଙ୍କ ସ୍ଥାନରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ହାଇଦ୍ରାବାଦ୍‌ ଦଳରେ ସାମିଲ ହୋଇଛନ୍ତି।
ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମାତ୍ର ୪ଟି ବଲ୍‌ ବୋଲିଂ କରିବା ପରେ ମାର୍ଶ ଆହତ ହୋଇଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଫଳରେ ସେ ଆଉ ବୋଲିଂ କରିପାରି ନ ଥିଲେ। ଅଷ୍ଟ୍ରେଲିଆର ଗତ ଇଂଲଣ୍ଡ ଗସ୍ତ ସମୟରେ ମାର୍ଶ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ମିଚେଲ ଟୁର୍ନାମେଣ୍ଟରୁ ବାହାରି ଯାଇଛନ୍ତି ବୋଲି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଏହାର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଏକ ବିବୃତ୍ତିରେ କୁହାଯାଇଛି। ତାଙ୍କ ସ୍ଥାନରେ ଜାସନ ହୋଲ୍ଡର ଦଳରେ ସାମିଲ ହୋଇଥିବା ଏଥିରେ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ହୋଲ୍ଡର ଶେଷଥର ପାଇଁ ୨୦୧୬ରେ ଆଇପିଏଲ୍‌ ଖେଳିଥିଲେ। ସେହି ସିଜନରେ ସେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍‌ ହୋଲ୍ଡର ଚେନ୍ନାଇ ସୁପର୍‌ କିଙ୍ଗ୍ସରୁ ମଧ୍ୟ ଖେଳି ସାରିଛନ୍ତି।

Share