କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ ଭାବେ ଦୁର୍ନୀତିଗ୍ରସ୍ତ ସେବା ପାଇଁ ମାଜିଷ୍ଟ୍ରେଟ ବା ଅଧିକାରୀମାନେ ଟଙ୍କା ନେବା କାର୍ଯ୍ୟକୁ ଦର୍ଶାଯାଇଥିଲା। ଧ୍ୟାନ ଦିଅନ୍ତୁ, ଦୁର୍ନୀତି ହେଉଛି ସେହି ସଂଜ୍ଞାର ଏକ ଅଂଶ, ଯାହା ମୂଳ ଲାଟିନ୍‌ ଭାଷାର ଏକ ପୁରୁଣା ଶବ୍ଦ। ଏହାର ଅର୍ଥ ଟଙ୍କା ଦେଇ କୌଣସି ସୁବିଧା ହାସଲ କରିବାରେ ସୀମିତ ନୁହେଁ, ବରଂ ନଷ୍ଟ ହେବା ଓ କ୍ଷୟ ହେବାର ପ୍ରକ୍ରିୟା। ତେବେ ଶାସନରେ ଦୁର୍ନୀତି କହିଲେ ବୁଝିବାକୁ ହେବ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରତିଷ୍ଠାନଗୁଡ଼ିକର କ୍ଷୟ, ପତନ ଓ ବିଘଟନ କରିବା। ଏହି ଦୁଇଟି ଶବ୍ଦ ମଧ୍ୟରେ ଏହା ମୁଖ୍ୟ ପ୍ରଭେଦ। ଇକୋନୋମିଷ୍ଟ ମାଗାଜିନର ଏକ ଅଂଶ ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ନିୟମିତ ଭାବେ କିଛି ବର୍ଷ ଅନ୍ତରରେ ଏକ ‘କ୍ରୋନି କ୍ୟାପିଟାଲିଜମ ଇଣ୍ଡେକ୍ସ’ (ସମ୍ପର୍କବାଦୀ ପୁଞ୍ଜିବାଦ ସୂଚକାଙ୍କ) ପ୍ରସ୍ତୁତ କରେ। ସ୍ୱାର୍ଥ ପାଇଁ ନୀତିକୁ ପ୍ରଭାବିତ କରି କିଛି ବ୍ୟକ୍ତିଙ୍କୁ ଧନୀ କରିବା ଲାଗି ଅର୍ଥନୀତିର କେତେ ବଡ଼ ଅଂଶ ହସ୍ତାନ୍ତରିତ ହୋଇଛି ତାହାକୁ ଏହା ନିର୍ଦ୍ଧାରଣ କରେ। ଏହାକୁ ‘ରେଣ୍ଟ-ସିକିଂ’ କୁହାଯାଏ। ୨୦୧୬ରେ କ୍ରୋନି କ୍ୟାପିଟାଲିଜମ ଭାରତର ଜିଡିପିର ୩% ଥିଲା। ୨୦୨୩ରେ, ଶେଷ ଆକଳନରେ ଏହା ଦୁଇଗୁଣ ହୋଇଯାଇଥିବା ଜଣାପଡ଼ିଥିଲା। ଏହା ଲାଞ୍ଚ ହୋଇଥାଇପାରେ କିମ୍ୱା ନ ହୋଇପାରେ, କିନ୍ତୁ ଏହା ନିଶ୍ଚିତ ଭାବେ ଦୁର୍ନୀତି; କାରଣ ଏଠାରେ ରାଜ୍ୟର କ୍ଷମତା ଓ ବୈଧତାକୁ କ୍ଷୁଣ୍ଣ କରାଯାଇଛି ଏବଂ ବଛା ବଛା କିଛି ବ୍ୟକ୍ତିଙ୍କୁ ଧନୀ କରିବା ପାଇଁ ତାହାର ଅପବ୍ୟବହାର କରାଯାଇଛି। ଏହାଦ୍ୱାରା ବ୍ୟବସ୍ଥା ଦୁର୍ୱଳ ଏବଂ ପତନ ଆଡ଼କୁ ଗତି କରିପାରେ। ଭାରତୀୟ ଗଣତନ୍ତ୍ରକୁ ଗଢ଼ିବା ପାଇଁ ଦୀର୍ଘ ସମୟ ଲାଗିଛି। ମତାଧିକାର ଐତିହାସିକ ପଦକ୍ଷେପ ଥିଲା ଏବଂ ପ୍ରଥମ ଭୋଟରତାଲିକା ପ୍ରସ୍ତୁତ ସମ୍ପର୍କିତ ଅନେକ ପୁସ୍ତକ ଲେଖାଯାଇଛି। ରାତିରେ ଫୁଟ୍‌ପାଥରେ ଶୋଇଥିବା ଲୋକମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯିବା ପାଇଁ ପ୍ରୟାସ କରାଯାଇଥିଲା। ନିରକ୍ଷର ଲୋକଙ୍କୁ ନିର୍ୱାଚନରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସକାଶେ ନିର୍ୱାଚନ ଚିହ୍ନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସମୟ ସହିତ ଏହାର ବିଶ୍ୱସନୀୟତା ଗଢ଼ି ଉଠିଥିଲା। ନିର୍ୱାଚିତ ସଦସ୍ୟଙ୍କ ଦଳବଦଳକୁ ରୋକିବା ପାଇଁ ସଂସଦ ଚେଷ୍ଟା କରିଥିଲା। ୧୯୯୪ରେ ମନମୁଖି ଭାବେ ରାଜ୍ୟ ସରକାରଗୁଡ଼ିକୁ ବରଖାସ୍ତ କରିବାର କ୍ଷମତାକୁ କେନ୍ଦ୍ରଠାରୁ ପ୍ରତ୍ୟାହାର କରି ନିଆଯାଇଥିଲା। ସେହି ସମୟ ମଧ୍ୟରେ, ଭାରତରେ ବୁଥ ଜବରଦଖଲ ଓ ବାଲଟ ପେପର ଜାଲିଆତି ସମସ୍ୟା ଶେଷ ହୋଇଥିଲା ଏବଂ ଭୋଟିଂ ମେଶିନ ପ୍ରଚଳନର ଏଥିରେ ପ୍ରମୁଖ ଭୂମିକା ଥିଲା। ଏହାର କିଛି ସମୟ ପୂର୍ୱରୁ ନିର୍ୱାଚନ ଆୟୋଗ ପ୍ରଥମ ଥର ପାଇଁ ଏକ ସଂସ୍ଥା ଭାବେ ସରକାରଙ୍କ ବିରୋଧରେ ନିଜର ଦୃଢ଼ତା ପ୍ରକାଶ କରିଥିଲା, ଯାହା ଶେଷାନଙ୍କ ଅଧୀନରେ ଆରମ୍ଭ ହୋଇଥିଲା। ହେଲେ ନିର୍ୱାଚନ ଆୟୋଗକୁ ନିଜ ଅଧୀନରେ ଆଣିବାକୁ ଚେଷ୍ଟା କଲାବେଳେ ସରକାର ଆଉ ଦୁଇଜଣ ନିର୍ୱାଚନ କମିଶନରଙ୍କୁ ନିଯୁକ୍ତ କରି ଏହାକୁ ତିନିଜଣିଆ ପ୍ୟାନେଲ କରିଦେଲେ। ଏହା ସତ୍ତ୍ୱେ ନିର୍ୱାଚନ ଆୟୋଗ ନିଜ ଭୂମିକା ଜାରି ରଖିଥିଲା।
ଆମେ ଜାଣିବାରେ ଗଣତନ୍ତ୍ରର ପ୍ରତିଷ୍ଠାନଗୁଡ଼ିକ ଅଧିକ କାର୍ଯ୍ୟକ୍ଷମ, ବିଶ୍ୱସନୀୟ ଓ ଭରସାଯୋଗ୍ୟ ହୋଇଥିଲା। ହେଲେ ଦୁର୍ନୀତି ତାହାକୁ ନଷ୍ଟ ଏବଂ ଅବକ୍ଷୟମୁଖୀ କରୁଛି। ଦଳବଦଳ ଏବଂ ବରଖାସ୍ତ ସମ୍ପର୍କିତ ଅଗ୍ରଗତି ପୁନର୍ୱାର ବାଧାପ୍ରାପ୍ତ ହୋଇଛି। ପଶ୍ଚିମ ଭାରତରୁ ପୂର୍ୱ ଭାରତ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକୁ କିଣି ନିଆଯାଉଛି। ଯାହାକୁ ଭୋଟ ଦେଇ ବାଛନ୍ତୁ ନା କାହିଁକି, ସେମାନେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଏବେ ନିର୍ୱାଚନ ଆୟୋଗର ସଂସ୍ଥାଗତ କ୍ଷତି ହେବା ସହ ଭୋଟରତାଲିକାରେ ବଡ଼ କ୍ଷତି ହୋଇଛି। ଭବିଷ୍ୟତରେ ଭଲ ଉଦ୍ଦେଶ୍ୟ ରଖି କୌଣସି ସରକାର ଆସିଲେ ମଧ୍ୟ ଏବେ ଯାହା ଘଟୁଛି ଏବଂ ଯାହା ଆଗରୁ ଘଟିଯାଇଛି ତାହାକୁ ସୁଧାରିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନ ଥିବ କିମ୍ୱା ସମ୍ପୂର୍ଣ୍ଣ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ରଦ୍ଦ କରିବାକୁ ହେବ (ଫଳରେ ଭୋଟରତାଲିକା ଉପରେ ହୋଇଥିବା ଏହି ଆକ୍ରମଣ ପରେ ଯେଉଁ ନିର୍ୱାଚନଗୁଡ଼ିକ ହୋଇଛି, ସେଗୁଡ଼ିକ ଅବୈଧ ହୋଇଯିବ)। ବାଦ୍‌ ପଡ଼ିଥିବା ଅନେକ କୋଟି ଭୋଟରଙ୍କୁ ଯୋଗ୍ୟତା ପ୍ରମାଣିତ କରିବା ପରେ ପୁନର୍ୱାର ଯୋଡ଼ିବାକୁ ହେବ। ତେବେ ଏସ୍‌ଆଇଆର୍‌ ଯାଞ୍ଚ ପ୍ର୍ରକ୍ରିୟାରେ ପାସ୍‌ କରିଥିବା ଏବଂ ଭିନ୍ନ ଏକ ମାର୍ଗ ଦେଇ ଆସିଥିବା ଦୁଇଟି ଶ୍ରେଣୀର ଭୋଟରଙ୍କ ପାଇଁ କେଉଁଭଳି ନୂଆ ନିୟମ ରହିବ? ଏଭଳି ସମସ୍ୟା ଦୂର ହେବା ସମ୍ଭବପର ହୋଇ ନ ପାରେ।
ଭାରତର ଭୋଟରତାଲିକା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ଏବଂ ଭୋଟରଙ୍କୁ ସେମାନଙ୍କର ପୂର୍ୱପୁରୁଷଙ୍କ ଆଧାରରେ ନିଜ ପ୍ରମାଣ ଦେବାକୁ ପଡ଼ୁଛି ଓ ପଡ଼ିବ। ଏହା ଏକ ଅନାବଶ୍ୟକ ପଦକ୍ଷେପ। ବିମୁଦ୍ରୀକରଣ ଭଳି ଆମ ଭୋଟରତାଲିକାକୁ ଆଘାତ କରାଯାଇଛି। ଆମେରିକାରେ ଏକ ପ୍ରବାଦ ଅଛି, ”ଯଦି ଏହା ଭାଙ୍ଗି ନାହିଁ, ତେବେ ଏହାକୁ ସଜାଡ଼ ନାହିଁ“। ଅର୍ଥାତ୍‌ ଯଦି କିଛି ଜିନିଷ ଠିକ୍‌ ଭାବରେ କାମ କରୁଛି, ତେବେ ସେଥିରେ ହସ୍ତକ୍ଷେପ କରିବା ଅନାବଶ୍ୟକ। ହେଲେ ଆମେ ଏବେ ଯାହା କରୁଛୁ, ତାହା ହେଉଛି- ‘ଯଦି ଏହା ଭାଙ୍ଗିନାହିଁ, ତେବେ ଏହାକୁ ଭାଙ୍ଗିଦିଅ।’ ଭାରତୀୟ ଗଣତନ୍ତ୍ର ଅସମ୍ପୂର୍ଣ୍ଣ ଥିବାବେଳେ ଆମେ ବିଶ୍ୱ ଦରବାରରେ ନିଜକୁ ଉପସ୍ଥାପନ କରୁଥିଲୁ। ସେତେବେଳେ ଭାରତୀୟ ଗଣତନ୍ତ୍ର ଥିଲା ଆମ ଗୌରବ। ଆମ ଗଣତନ୍ତ୍ର ବାସ୍ତବ ଓ ସଚ୍ଚୋଟ ଥିଲା। ଆତ୍ମବିଶ୍ୱାସର ସହ କହିପାରୁଥିଲୁ, ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ‘ଜଣେ ବ୍ୟକ୍ତି, ଗୋଟିଏ ଭୋଟ’- ମୌଳିକ ନୀତି ଆମ ପାଖରେ ଥିଲା। ଏବେ ଆମେ ସେହି କଥା କହିପାରିବା କି? ୨୦୧୪ରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବା ପୂର୍ୱରୁ ଗଢ଼ାଯାଇଥିବା ଅନୁଷ୍ଠାନ ବିରାଟ ସୁରକ୍ଷା କବଚ ସଦୃଶ ଥିଲା। ହେଲେ ଏକ ଦଶନ୍ଧି ଧରି ନ୍ୟାୟାଳୟ, ବିଶ୍ୱବିଦ୍ୟାଳୟ, ନିର୍ୱାଚନ ବ୍ୟବସ୍ଥା, ବିବିଧତା, ରାଜନୈତିକ ସଂସ୍କୃତି ଓ ଗଣମାଧ୍ୟମ ଉପରେ ଚାପ ପକାଯାଉଛି କିମ୍ୱା ଆକ୍ରମଣ ହେଉଛି। କେବଳ ସ୍ୱାର୍ଥ ଉଦ୍ଦେଶ୍ୟରେ ସେଗୁଡ଼ିକୁ ଦୁର୍ୱଳ କରାଯାଇଛି। ଫଳରେ ସେସବୁ ଅବକ୍ଷୟମୁଖୀ ହୋଇଛି ଏବଂ କଳୁଷିତ କରିଦିଆଯାଇଛି। ଏହା ହେଉଛି ଦୁର୍ନୀତିର ଅସଲ ସ୍ୱରୂପ ଏବଂ ସ୍ୱାର୍ଥ ଲାଗି କ୍ଷମତାର ଦୁରୁପଯୋଗ।

Share