Categories: ବାଣିଜ୍ୟ

ଲୋକାଭିମୁଖୀ ହେବ ‘ମିଶନ୍‌ ଜିରୋ ହଙ୍ଗର’

ଭୁବନେଶ୍ୱର, ୯।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର (ଜେଏସ୍‌ପି)ର ସାମାଜିକ ସଙ୍ଗଠନ ଜେଏସ୍‌ପି ଫାଉଣ୍ଡେଶନର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ୍‌ ଜିରୋ ହଙ୍ଗର’କୁ ବ୍ୟାପକ ଓ ଲୋକାଭିମୁଖୀ କରିବାକୁ ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପିର ଅଧକ୍ଷ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଫାଉଣ୍ଡେଶନ ତା’ର ମିଶନ୍‌କୁ ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ, କ୍ଷୁଧାମୁକ୍ତ ଦେଶ ଗଠନ ଉଦ୍ଦେଶ୍ୟରେ ଜିନ୍ଦଲ ଲୋକ ସଭାରେ ଏକ ବେସରକାରୀ ବିଧେୟକ ଉପସ୍ଥାପାନା କରିଥିଲେ।

ସେହିଭଳି ଜେଏସପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପ୍ରତିବର୍ଷ ସାରା ଭାରତରେ ୫୦ ଲକ୍ଷରୁ ଅଧିକ ଖାଦ୍ୟ ବଣ୍ଟନ କରାଯାଉଛି। ବର୍ତ୍ତମାନ ଏହାକୁ ୧ କୋଟିରେ ପହଞ୍ଚାଇବାର ମହତ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଗରିବ ଏବଂ ସାମାଜିକ ଭାବେ ଦୁର୍ବଳ ସମୁଦାୟ, ପୁଷ୍ଟିହୀନ ଶିଶୁ, ଗର୍ଭବତୀ ଏବଂ ରକ୍ତହୀନ ମହିଳା, ପ୍ରବାସୀ ଶ୍ରମିକ ଏବଂ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ମୌଳିକ ପୋଷଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥାଏ। ବିଶେଷକରି ସମଗ୍ର ଭାରତରେ ଗରିବ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଏବଂ ଶୁଖିଲା ରାଶନ ଯୋଗାଇବାରେ ଏହା ବେଶ୍‌ ସହାୟକ ହୋଇଛି।

ସେହିପରି ଫାଉଣ୍ଡେଶନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ଏବଂ ଧୀରେ ଧୀରେ ଭାରତର ଅନ୍ୟ ରାଜ୍ୟର କୋଣ ଅନୁକୋଣରେ କ୍ଷୁଧା ଓ କୁପୋଷଣ ଦୂର କରିବା ପାଇଁ ମିଶନ ଜିରୋ ହଙ୍ଗର ଯୋଜନା କାର୍ଯ୍ୟକାରୀ କରିବାକୁ ଶାଲୁ ଆଗ୍ରହ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ସକ୍ରିୟ ଭାବେ ସମଭାବାପନ୍ନ ଏନଜିଓ, ବୃତ୍ତିଗତ ଏଜେନ୍ସି, ନାଗରିକ ସମାଜର ସହଯୋଗ ଓ ସହାୟତା ଚାହୁଁଛି। ଯେଉଁ ଆଶାୟୀ ଏଜେନ୍ସିଗୁଡ଼ିକୁ (rfp@jsplfoundation.com) ଇମେଲ୍‌ ମାଧ୍ୟମରେ ଫାଉଣ୍ଡେଶନ ସହ ଯୋଗାଯୋଗ କରି କିମ୍ବା (www.jspfoundation.co.in) ଫାଉଣ୍ଡେଶନର ୱେବ୍‌ସାଇଟକୁ ଯାଇ ଯୋଗାଯୋଗ କରିବାକୁ ଆମନ୍ତ୍ରଣ କରାଯାଇଛି। ବିଶେଷକରି ଜେଏସ୍‌ପି ଫାଉଣ୍ଡେଶନର ୱେବ୍‌ସାଇଟରେ ଆରଏଫ୍‌ପି (ରିକ୍ୱେଷ୍ଟ ଫର୍‌ ପ୍ରପୋଜାଲ) ଆପ୍ଲିକେଶନର ଫର୍ମାଟ ସହିତ ଅପଲୋଡ୍‌ କରାଯାଇଛି।

Share