ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିଶନଶକ୍ତି ଗୃହ

ମଙ୍ଗୁଳି-ଚୌଦ୍ୱାର, ୨୬।୨(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୯ନଂ. ଓ୍ବାର୍ଡରେ ୨ ବର୍ଷ ହେବ ଏକ ମିଶନଶକ୍ତି ଗୃହ ନିର୍ମାଣ ହୋଇଛି। ହେଲେ ଏପର୍ଯ୍ୟନ୍ତ ଏହା ଉଦ୍‌ଘାଟନ ହୋଇ ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ଅଗଷ୍ଟ ୧୫ରେ ମିଶନଶକ୍ତି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ୭ଲକ୍ଷ ୨୩ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି କାର୍ଯ୍ୟ ୨୦୨୧ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସାରିବା ପାଇଁ ସମୟସୀମା ଧାର୍ଯ୍ୟ ହୋଇଥିଲା। ମହିଳାଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ କପାଳେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିଲା। ଗୃହ ଚତୁଃପାର୍ଶ୍ୱରେ ବାଉଣ୍ଡରି ହୋଇଥିଲେ ସୁଦ୍ଧା ଫାଟକ ନାହିଁ। ଫଳରେ ଏହା ଏବେ ଗୋରୁ, ଷଣ୍ଢ ଓ କୁକୁରଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ସେହିପରି ଉକ୍ତ ସ୍ଥାନରେ ଆଲୋକ ବ୍ୟବସ୍ଥା ନ ଥିବାରୁ ରାତି ହେଲେ ଅସାମାଜିକ ବ୍ୟକ୍ତିମାନେ ଏକତ୍ରିତ ହୋଇ ଚୋରି ପାଇଁ ଯୋଜନା କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି। ମିଶନଶକ୍ତି ଗୃହ ଚାରିପଟେ ଗଛଲତା ମାଡ଼ିଯାଇ ଜଙ୍ଗଲର ଭ୍ରମ ସୃଷ୍ଟି କଲାଣି। ଉଦ୍‌ଘାଟନ ପୂର୍ବରୁ ଘରର ବିଭିନ୍ନ ସ୍ଥାନ ଭାଙ୍ଗି ନଷ୍ଟ ହେବାକୁ ବସିଥିବାବେଳେ ରଙ୍ଗ ଲିଭିଗଲାଣି।
ଏ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର କହିଛନ୍ତି, ମୁଁ ଏଠାକୁ ଆସିବା ପୂର୍ବରୁ ଉକ୍ତ ଘର ନିର୍ମାଣ ହୋଇଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ ସାରିବା ପରେ ପୌରପାଳିକାକୁ ହସ୍ତାନ୍ତର କରିବା କଥା। ହେଲେ ଏପର୍ଯ୍ୟନ୍ତ ତାହା ହୋଇନାହିଁ। ଉଦ୍‌ଘାଟନ ପୂର୍ବରୁ ଉକ୍ତ ଗୃହର ଯାହା କ୍ଷତି ହୋଇଛି ତାହା ଉକ୍ତ ମହିଳା ଗୋଷ୍ଠୀର ସିକ୍ୟୁରିଟି ଅର୍ଥରୁ ଭରଣା କରାଯିବ। ଦରକାର ପଡିଲେ ଉକ୍ତ ଗୋଷ୍ଠୀଙ୍କୁ କଳାତାଲିକାଭୁକ୍ତ କରାଯିବ। ଅପରପକ୍ଷରେ ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ଜୟନ୍ତୀ ମିଶ୍ର କହିଛନ୍ତି, ଆମେ କାର୍ଯ୍ୟ ସାରି ବିଲ୍‌ ନେବା ପରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ହସ୍ତାନ୍ତର କରିଦେଇଛୁ। କରୋନା ମହାମାରୀ ଯୋଗୁ ଉଦ୍‌ଘାଟନ ହୋଇପାରି ନ ଥିଲା। ଆସନ୍ତା ସୋମବାର ଚୌଦ୍ୱାର ପୌରପାଳିକାକୁ ଯାଇ ଅସୁବିଧା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବୁ।