ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର ଶୋଇଥିବାବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଶୋଇଥିବା ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ l ଫଳରେ ବିଜୟ ଏବଂ ତାଙ୍କ ସ୍ତ୍ରୀ ଆରତୀ ଗୁରୁତର ଆହତ ହୋଇଛନ୍ତି l ଆରତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି l ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଚମ୍ପଟ ମାରିଥିଲେ l ଗୁରୁତର ବିଜୟ ଏବଂ ଆରତୀଙ୍କ ପଡ଼ୋଶୀ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l
ସୂଚନାଯୋଗ୍ୟ ଯେ,ବିଜୟଙ୍କ ପୁଅ ପପୁ ସଦର ବ୍ଲକ ବଡଧନ୍ଦାଡି ଗ୍ରାମର ଜଣେ ଝିଅକୁ ଭଲ ପାଇବା ସହିତ ତାଙ୍କୁ ନେଇ ଫେରାର ହୋଇ ଯାଇଥିବାରୁ ଝିଅଘର ଲୋକେ ଏଭଳି ଅମାନବୀୟ ଘଟଣା ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରୁଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛିl

 

Dharitri – Odisha’s No.1 Odia Daily

 

Share