Categories: ଅପରାଧ

ଏଟିଏମ ଚୋରି ପାଇଁ ମାଟିତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ ଖୋଳିଥିଲେ ଲୁଟେରା

ପାଟନା, ୨।୭- ଚୋରି ପାଇଁ ଲୁଟେରାମାନେ କେଉଁଭଳି ଅଭିନବ ଉପାୟ ଅବଲମ୍ବନ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର ନାଓ୍ବାଡା ଜିଲାରେ ଦେଖିବାକୁ ମିଳିଛି। ଏଟିଏମ୍‌ ଚୋରି କରିବା ପାଇଁ ଲୁଟେରାମାନେ ମାଟି ତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ ଖୋଳିଥିଲେ ମଧ୍ୟ ଠିକ୍‌ ସମୟରେ ପୋଲିସ ଏହା ଜାଣିପାରିଥିଲା। ଫଳରେ ଲୁଟେରାଙ୍କ ଏକ ବଡ଼ ଚୋରି ପଣ୍ଡ ହୋଇଯାଇଛି। ନାଓ୍ବାଡା ଜିଲାର ଗୋପଳା ନଗରସ୍ଥିତ ଏସ୍‌ବିଆଇ ଏଟିଏମ୍‌ ପାଖରେ ଗୁରୁବାର ପୋଲିସ ଏହି ଘଟଣାର ଫର୍ଦ୍ଦଫାଶ କରିଛି। ଏହି ଏଟିଏମ୍‌ରୁ ଚୋରି କରିବା ପାଇଁ ଲୁଟେରାମାନେ ମାଟି ତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ ଖୋଳିଥିଲେ। ସୁଡ଼ଙ୍ଗ ଭିତରେ ମଧ୍ୟ ଗ୍ୟାସ ସିଲିଣ୍ଡର ଓ କଟର୍‌ ମେସିନ ଆଗୁଆ ମହଜୁଦ୍‌ ରଖିଥିଲେ। କିନ୍ତୁ ଗୁରୁବାର ଯେତେବେଳେ ଏଟିମ୍‌ ସାମ୍ନାରେ ଯାଇଥିବା ଡ୍ରେନ ସଫା କରାଯାଉଥିଲା ସେତେବେଳେ ଲୁଟେରାଙ୍କ ଏହି କାରସାଦି ସାମ୍ନାକୁ ଆସିଥିଲା। ଡ୍ରେନ ସଫା ପାଇଁ ଶ୍ରମିକମାନେ ଯେତେବେଳେ ସ୍ଲାବ ଉଠାଇଥିଲେ ସେତେବେଳେ ଏକ ବିରାଟ ସୁଡ଼ଙ୍ଗ ଏଟିଏମ୍‌ ଆଡ଼କୁ ଲମ୍ବିଥିବା ଦେଖିବାକୁ ପାଇଲେ। ଏହି ଘଟଣା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁଡ଼ଙ୍ଗ ମଧ୍ୟରୁ ଗ୍ୟାସ ସିଲିଣ୍ଡର, କଟର ମେସିନ, ହାତୁଡ଼ି, ସେଣି ଇତ୍ୟାଦି ଜବତ କରିଥିଲା। ଫଳରେ ଏକ ବଡ଼ ଏଟିଏମ୍‌ ଚୋରି ବିଫଳ ହୋଇଯାଇଛି।