ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର

ଧର୍ମଶାଳା,୬ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ବାମୀ ଓ ଝିଅଙ୍କୁ ହାଣି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସାରଙ୍ଗକିରଣ ଗ୍ରାମର ଚରଣ ବିଶ୍ୱାଳଙ୍କ ଝିଅ ତରୁଲତା (୫୨) ସ୍ଥାନୀୟ ଅନ୍ତନ୍ତ କୁମାରୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ସେ ଆଳି ଥାନା ହଟୁଆ ଗ୍ରାମର ନିତ୍ୟରଞ୍ଜନ ମଲ୍ଲିକଙ୍କୁ ବିବାହ କରିଥିଲେ। ସ୍ତ୍ରୀ, ସ୍ବାମୀ ମିର୍ଜାପୁର ଗ୍ରାମର ଅନିଲ କୁମାର ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ କେତେକ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶି ତରୁଲତା ଏବଂ ତାଙ୍କ ସ୍ବାମୀଙ୍କୁ ହାଣି ପକାଇବା ସହ ଝିଅଙ୍କୁ ଏକ ରଡ୍‌ରେ ବାଡ଼ାଇ ଦେଇଥିଲେ। ଫଳରେ ତରୁଲତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର ହୋଇଛନ୍ତି। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଡିଏସ୍‌ପି ଚିନ୍ମୟ ନାୟକ, ଆଇଆଇସି ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଖୁବ୍‌ଶୀଘ୍ର ଆସି ଘଟଣାସ୍ଥଳରେ ପହଞ୍ଚିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ହତ୍ୟାକାରୀ ଧରାପଡ଼ିବେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।