ହାଟଡିହୀ/ଛେନାପଦୀ, ୨୨।୫ (ଶୁଭକାନ୍ତ ନାୟକ / ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ଭାଜପା ପକ୍ଷରୁ ବିଧାନସଭା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶୁକ୍ରବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।
ଏହି ମିଶ୍ରଣ ପର୍ବରେ ବ୍ଲକ ଅଧୀନ ରମ୍ପାସ, ବଞ୍ଚୋ, ଶାଳନିଆଁ, ଆଇତିପୁର, ହାଟଡିହୀ ସମେତ ବିଭିନ୍ନ ପଞ୍ଚାୟତରୁ ୭୦୦ରୁ ଅଧିକ ବ୍ୟକ୍ତି ନିଜ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି।
ଏମ୍ ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ମଣ୍ଡଳ ପ୍ରଭାରୀ ହରମୋହନ ଶାସିନୀ ଓ ଯୁଧିଷ୍ଠିର ମଲିକ, ଯୁବ ନେତା ସୁନୀଲ ନାୟକ ଓ ସୁଶାନ୍ତ ଜେନା, ନାରୀ ନେତ୍ରୀ ତୃପ୍ତିମୟୀ ଜେନା ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନବାଗତମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।
ବିଧାନସଭା ନେତା ଆଲୋକ ସେଠୀ କହିଛନ୍ତି ଯେ, ଏହି ମିଶ୍ରଣ ପର୍ବରେ ଅନେକ ପଞ୍ଚାୟତର ଲୋକପ୍ରତିନିଧି ଓ ଅଧିକାଂଶ ବିଜେଡି କର୍ମୀ ସାମିଲ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦିନ ଗୋଟିଏ ପଟେ ବିଜେଡି ପକ୍ଷରୁ ମହିଳା ସମାବେଶ ଓ ନାରୀ ଅଧିକାର ଅଭିଯାନ ଚାଲିଥିବାବେଳେ, ଅନ୍ୟ ପଟେ ଭାଜପାର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।
ଏହାକୁ ନେଇ ଅଞ୍ଚଳରେ ରାଜନୈତିକ ପାଣିପାଗ ଜୋର ଧରିଥିବା ଦେଖିବାକୁ ମିଳିଛି।