Categories: ଖେଳ

୬ ମାସ ପରେ ପ୍ରତିଯୋଗିତାକୁ ଫେରିବେ ମୀରାବାଈ

ଫୁକେଟ(ଥାଇଲାଣ୍ଡ),୩୧ା୩: ଛଅ ମାସ ହେଲା ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିବେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଭାରୋତ୍ତୋଳିକା ମୀରାବାଈ ଚାନୁ। ସୋମବାର ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ ସ୍ପଷ୍ଟ ହୋଇଯିବ।

ବିଶ୍ୱକପ୍‌ କେବଳ ଫାଇନାଲ ଅଲିମ୍ପିକ କ୍ୱାଲିଫାଇଂ ଇଭେଣ୍ଟ ନୁହେଁ, ପ୍ୟାରିସ ଅଲିମ୍ପିକ୍ସ ପାଇଁ ଏକ ବାଧ୍ୟତାମୂଳକ କ୍ୱାଲିଫାୟର। ଗତବର୍ଷ ସେପ୍ଟେମ୍ବରରେ ଏସିଆନ ଗେମ୍ସ ବେଳେ ଚାନୁଙ୍କ ପିଚାରେ ସମସ୍ୟା ଦେଖା ଦେଇଥିଲା। କିନ୍ତୁ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସୋମବାର ବିଶ୍ୱକପ୍‌ରେ ଅଂଶଗ୍ରହଣ ଦ୍ୱାରା ପ୍ୟାରିସକୁ ତାଙ୍କ ପଥ ପରିଷ୍କାର ହୋଇଯିବ, କାରଣ ପୂର୍ବତନ ବିଶ୍ୱ ଚାମ୍ପିୟନ ବର୍ତ୍ତମାନ ମହିଳା ୪୯କେଜି ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗରେ ଚାଇନାର ଜିଆନ ହୁଇହୁଆଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୨୪ ଅଲିମ୍ପିକ୍ସ କ୍ୱାଲିଫିକେଶନ ନିୟମାନୁସାରେ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୨୪ ବିଶ୍ୱକପ୍‌ ହେଉଛି ବାଧ୍ୟତାମୂଳକ ଇଭେଣ୍ଟ। ଏହି ଦୁଇଟି ଟୁର୍ନାମେଣ୍ଟ ବ୍ୟତୀତ ଅତିକମ୍‌ରେ ନିମ୍ନଲିଖିତ ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ଯଥା ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌, ୨୦୨୩ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌, ୨୦୨୩ ଗ୍ରାଁ ପ୍ରି-୧, ୨୦୨୩ ଗ୍ରାଁ ପ୍ରି-୨ ଏବଂ ୨୦୨୪ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌। ଚାନୁ ଏହି ମାନଦଣ୍ଡ ପୂରଣ କରିଛନ୍ତି। ସେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଯଥାକ୍ରମେ ଦ୍ୱିତୀୟ ଓ ୬ଷ୍ଠ ହୋଇଥିଲେ।

Share