ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା

ରାଉରକେଲା,୧୯ା୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ଆର୍‌ଏମ୍‌ସି ଅଧୀନ ୪ ନମ୍ବର ଓ୍ବାର୍ଡ ବାଲୁଘାଟ ତରେକେଲାର ଜଣେ ଆଜନ୍ମ ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା। ନାବାଳକ ଜଣଙ୍କ ହେଲେ ଆଲୋକ ମିଞ୍ଜ(୯)। ପରିବାର କହିଲେ ତାଙ୍କ ବାପା ମିନ ମିଞ୍ଜ (୫୦), ବଡ଼ଭାଇ ଅରମାନ ମିଞ୍ଜ(୧୬) ଏବଂ ବୁଢ଼ୀ ଆଈ ଶୁକ୍ର ମିଞ୍ଜ(୭୦)। ଆଜିକୁ ୨ ବର୍ଷ ତଳେ ଜ୍ୱରରେ ଆକ୍ରାନ୍ତ ହୋଇ ମା’ ବିତନୀଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁରେ ମିନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ପଥଭ୍ରଷ୍ଟ ହେଲେ। ଫଳରେ ଭିନ୍ନକ୍ଷମ ଆଲୋକଙ୍କ ଲାଳନ ପାଳନ ବୋଝ ବୁଢ଼ୀ ଆଈଙ୍କ ଉପରେ ପଡ଼ିଲା। ମାତ୍ର ଆଲୋକଙ୍କ ଜନ୍ମରୁ ବାମ ହାତ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଥିଲା। ପରିଣତ ବୟସରେ ମଧ୍ୟ ଭିନ୍ନକ୍ଷମ ନାତି ମୋହ ଓ ଦୁଃଖକୁ ବୁଝି ଶୁକ୍ର ଆଲୋକଙ୍କ ସମସ୍ତ ଦେଖାଶୁଣା କରୁଛନ୍ତି। ମାତ୍ର ଏଯାଏ ଭିନ୍ନକ୍ଷମ ଆଲୋକଙ୍କ ପାଇଁ ସରକାରୀ ଯୋଜନା ସାତସପନ ହୋଇ ରହିଯାଇଛି। ଭିନ୍ନକ୍ଷମ ହେବାର ସମସ୍ତ ମାନଦଣ୍ଡ ଥାଇ ମଧ୍ୟ ତାଙ୍କୁ ନା ମିଳୁଛି ଭିନ୍ନକ୍ଷମ ଭତ୍ତା ନା ରାଶନ। ତୁରନ୍ତ ଏହି ଆଲୋକଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ନେଇ ରାଉରକେଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡେକଙ୍କୁ ପଚାରିବାରୁ ସେ କହିଲେ, ନାବାଳକ ଆଲୋକଙ୍କୁ ଭିନ୍ନକ୍ଷମ ଭତ୍ତା ମିଳିବ। ତାଙ୍କୁ ଆର୍‌ଜିଏଚ୍‌ ଆଣି ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦେବା ବ୍ୟବସ୍ଥା କରାଯିବ। ତାଙ୍କ ପରିବାର ଯେଭଳି ସମସ୍ତ ସରକାରୀ ଯୋଜନାର ଲାଭ ପାଇବେ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବଡେକ କହିଥିଲେ।