ସାଙ୍ଗମାନଙ୍କ ସହ ଖେଳୁଥିଲାବେଳେ ନାବାଳିକାଙ୍କୁ ବଳାତ୍କାର, ଆସାମୀଙ୍କୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩(ପ୍ରଭୁକଲ୍ୟାଣ ପାଲ): ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ଶୁକ୍ରବାର ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ। ଜରିମାନା ବାବଦ ୨୦,୦୦୦ ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହାବ୍ୟତୀତ ଜରିମାନା ଅନାଦେୟ ଗୋଟିଏ ବର୍ଷ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମାମଲାରୁ ପ୍ରକାଶ ଯେ, ୨୦୨୫ ଜୁନ୍‌ ୭ରେ କଟକ ମଙ୍ଗଳାବାଗ ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ ଘଟଣା। ନାବାଳିକା ସାଙ୍ଗମାନଙ୍କ ସହ ଖେଳୁଥିଲା ବେଳେ ତାଙ୍କୁ ବଳପୂର୍ବକ ବଳାତ୍କାର କରିଥିଲେ ଆସାମୀ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମାଆବାପା ସଙ୍ଗେସଙ୍ଗେ ନାବାଳିକାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ନାବାଳିକାଙ୍କ ପରିବାରଲୋକେ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏତେଲା ଦେଲା ପରେ ପୋଲିସ ତଦନ୍ତ ଆଧାରରେ ଅନେକ ପ୍ରମାଣ ହସ୍ତଗତ କରିଥିଲା। ଏହା ପରେ ସିଧାସଳଖ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଜି ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Dharitri –Odisha’s No.1 Trusted Odia Daily

Share