ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସବ,୨୨।୧୧: ଫାଷ୍ଟଟ୍ରାକ ପୋକସ ଜଜ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଯଥେଷ୍ଟ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲା ପାଟପୁର ଅଞ୍ଚଳର ବାବୁ ମଲିକ। କୋର୍ଟ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତ ଜଣଙ୍କ ଅଧିକ ୮ମାସ ଜେଲଦଣ୍ଡ ଭୋଗ କରିବେ ବୋଲି ମଧ୍ୟ ସେ ରାୟ ଦେଇଛନ୍ତି।
ସେହିପରି ପିଡ଼ୀତାଙ୍କୁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଜଜ, ଜିଲା ଆଇନ ସେବା ପ୍ରାଧିକରଣ ସଚିବ (ଡିଏଲ୍‌ଏସ୍‌ଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିପି ମୋହନ ସିଙ୍ଗାରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ,୨୦୧୯ ମସିହାରେ ଜଣେ ନାବାଳିକାଙ୍କୁ ବାବୁ ମଲିକ ବଳାତ୍କାର କରିଥିଲେ। ପରେ ନାବାଳିକା ଜଣଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ କହିଥିଲେ। ତାଙ୍କ ମା’ଏ ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାବୁ ମଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ପରେ ପୋଲିସ ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଗିରଫ ପରଠାରୁ ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ମଣ୍ଡଳକାରାଗାର(ଜେଲ)ରେ ବିଚାରାଧୀନ କଏଦୀ ଭାବେ ଥିଲେ। ମଙ୍ଗଳବାର ଉକ୍ତ ମାମଲାର ବିଚାରଣା ବେଳେ ବାବୁ ମଲିକଙ୍କୁ ଜେଲରୁ ଅଣାଯାଇ ପୋକସ କୋର୍ଟରେ ହାଜର କରାଯାଇଥିଲା। ୧୮ ଜଣ ସାକ୍ଷୀ ଓ ପୋଲିସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟକୁ ଭିତ୍ତି କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।