ବରଗଡ଼,୧୭।୪,(ପ୍ରେମାନନ୍ଦ ଖମାରୀ): ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଉଗ୍ରସେନ ବାରିକ ପ୍ରମାଣ ଅଭାବରୁ ବୁଧବାର ର୍ନିଦ୍ଦୋଷରେ ଖଲାସ ହୋଇଛନ୍ତି । ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ଗ୍ରାମରେ ଅଭିଯୁକ୍ତ ଉଗ୍ରସେନ ଏକ ସେଲୁନ କରି ପରିବାର ଚଳାଉଥିଲେ। ଗତ ୨୦୨୪ ମସିହା ଅଗଷ୍ଟ ମାସ ୨୪ତାରିଖ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସେ ଭାରତୀୟ ନ୍ୟାୟ ସଂହିତା ଦଫା ୬୫ (୧), ୬୨, ୭୮ (୨), ପୋକସୋ ଆଇନର ଦଫା ୮, ୧୨, ୪(୨), ୧୮, ଏସସିଏସଟି ଆଇନର ଧାରା ୩ (୨) (ଭି), ୨(ଭିଏ) ଦଫାରେ ଗିରଫ ହୋଇ ଜେଲରେ ଥିଲେ। ସିଟି କେଶ ନଂ- ୩୪/୨୦୨୪ରେ ତାଙ୍କ ବିରୁଦ୍ଧରେ ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ ଓ ପୋକସୋ ଅଦାଲତରେ ମାମଲାର ବିଚାର ଚାଲିଥିଲା । ୧୪ ଜଣ ସାକ୍ଷ୍ୟଙ୍କ ବୟାନ ଶୁଣିବା ପରେ ବୁଧବାର ବିଚାରପତି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ ଆଦେଶ ଦେଇଥିଲେ। ଅଭିଯୁକ୍ତଙ୍କ ତରଫରୁ ଆଡଭୋକେଟ ଅଧିକାରୀ ପ୍ରଧାନ, ସୁକୁମାର ସାହୁ ମାମଲା ଲଢୁଥିଲେ । ପ୍ରକାଶ ଥାଉକି, ଘଟଣା ପରେ ଗ୍ରାମରେ ଅଭିଯୁକ୍ତଙ୍କୁ ବାସନ୍ଦ କରିଦେବା ଅଭିଯୋଗ କରି ଅଭିଯୁକ୍ତଙ୍କ ପରିବାର ଗାଁ ଛାଡିଥିଲେ। ଘଟଣାର କିଛି ଦିନ ପରେ ଅଭିଯୁକ୍ତଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଜେଲରୁ ନିର୍ଦ୍ଦୋଷରେ ଖଲାସ ହୋଇ ଫେରିବା ପରେ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ଉଗ୍ରସେନ ବାରିକ ମ୍ରିୟମାଣ ହୋଇ ପଡିଛନ୍ତି।


