କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଅଭିଯୋଗ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ସାମନାକୁ ଆସିଛି। ସୋମବାର ଏକ କେନାଲରୁ ଅଖା ଭିତରୁ ନାବାଳକ ଭାଇର ଗଳିତ ମୃତଦେହ ଜବତ ହୋଇଥିଲା। ମଙ୍ଗଳବାର ନିଖୋଜ ଥିବା ଅନୁଷ୍କା ପରିଡ଼ା(୪୫)ଙ୍କ ମୃତଦେହ ବୋରିଗୁମ୍ମା ଥାନା ଅଧୀନ ଜୟନ୍ତଗିରି କେନାଲରୁ ମିଳିଛି। ଘଟଣାରେ ପୋଲିସ ନାବାଳିକା, ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ସୋମବାରଠାରୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ପୋଲିସ ପ୍ରେମିକ ଓ ତାଙ୍କ ସହଯୋଗୀଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, କୋରାପୁଟ ଜିଲା ବୋରିଗୁମ୍ମାସ୍ଥିତ ଦାସିରି ସାହିର ବୋରିଗୁମ୍ମା ମୁଖ୍ୟ ରାସ୍ତାରେ ଅନୁଷ୍କା ପୁଅ ଏହେମ୍ ଓ ନାବାଳିକ ଝିଅ(୧୬)ଙ୍କ ସହ ରହୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଅନୁଷ୍କା ଏହାକୁ ବିରୋଧ କରୁଥିଲେ। ଅଧିକାଂଶ ସମୟ ପ୍ରେମ ସମ୍ପର୍କକୁ ନେଇ ଅନୁଷ୍କାଙ୍କ ଝିଅ ସହ ଝଗଡ଼ା ହେଉଥିବା ସୂଚନା ମିଳିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ସବୁଦିନ ପାଇଁ ମା’ଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଏଭଳି ଅମାନୁଷିକ କାଣ୍ଡ କରିଥିବା ଅଭିଯୋଗ ହୋଇଛି। ୨୦ ତାରିଖରେ ଅନୁଷ୍କାଙ୍କ ମୋବାଇଲ ବନ୍ଦ ଥିବାରୁ କିଛି ଅଘଟଣ ସନ୍ଦେହ କରି ଖୋଜାଖୋଜି କରି ନ ପାଇବାରୁ ପରିବାର ସଦସ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅନୁଷ୍କା ଓ ତାଙ୍କ ପୁଅ ନିଖୋଜ ଥିବା ନେଇ ଭାଇ ସତ୍ୟବାନ ପାତ୍ର ଗତ ଶନିବାର ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କୁ ତାଙ୍କ ନାବାଳିକା ଭାଣିଜୀ ଓ ତାଙ୍କ ପ୍ରେମିକ ହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଥିଲେ। ପୋଲିସ ନଂ. ୪୫/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର କୋଟପାଡ଼ ଥାନା ଅଧୀନ ଅଣ୍ଡିରାମୁଣ୍ଡା କେନାଲରୁ ଏକ ଅଖାରେ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ, ଅଗ୍ନିଶମ ବିଭାଗ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏହା ଏହେମ୍ଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଏହେମଙ୍କ ଗଳା କାଟି ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।
ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…