ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍‌ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଦୀପକ ମହାନ୍ତ(୧୬)।

ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଉଥିବା ବେଳେ ୨ଟି ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ହେଲେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଦୀପକ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୋବାଇଲ ଫୋନ୍‌ରେ ଭାଲୁ ମୁହଁକୁ ପିଟିଥିଲେ। ଏହି ସମୟରେ ମୋବାଇଲ ଟର୍ଚ୍ଚ ଜଳିବାରୁ ଭାଲୁଟି ସେ ସ୍ଥାନ ଛାଡ଼ି ପଳାଇଥିଲା। ଏଥିରେ ଦୀପକଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଛନ୍ତି। ଖବର ପାଇ ସଦର ରେଞ୍ଜର ବିଜୟ ମହାନ୍ତ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।