ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଶିଶୁଟି ଘର ବାହାରେ ଖେଳୁଥିଲା। ଏହି ସମୟରେ ଗାଁର ଜଣେ ନାବାଳକ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ଡାକି ନେଇ ସେଠାରେ ବଳାତ୍କାର କରିଥିଲେ। ଶିଶୁ କନ୍ୟାଟି ସେଠାରୁ ଘରକୁ ଫେରିଥିଲେ। କୌଣସି କାରଣରୁ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିପାରିଥିଲେ। ସେମାନେ ରାତିରେ ହିଁ ଗାଁର ସମ୍ପୃକ୍ତ ନାବାଳକଙ୍କ ବିରୋଧରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ପୋଲିସ ଥାନା କେସ୍ ନଂ. ୧୬୦/୨୬ରେ ଏକ ମାମଲା ରୁଜୁ କରିଥିଲା। ଗୁରୁବାର ସକାଳେ ପୋଲିସ ଗାଁକୁ ଯାଇ ତଦନ୍ତ କରିଥିଲା। ସେଠାରୁ ପୀଡ଼ିତା ଶିଶୁ ଓ ନାବାଳକଙ୍କୁ ଆଣି ଡାକ୍ତରୀମାଇନା କରାଯାଇଛି। ପୀଡ଼ିତାଙ୍କୁ ଏବେ ନବରଙ୍ଗପୁର ମା’ ଗୃହରେ ରଖାଯାଇଛି। ନାବାଳକଙ୍କୁ ନବରଙ୍ଗପୁରସ୍ଥିତ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଭବାନିପାଟଣାସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି।