ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ନିଖୋଜ ନାବାଳକ ଜଣକ ନିକଟସ୍ଥ ପ୍ରଥମଖଣ୍ଡ ଗ୍ରାମର ବୋଲି ଜଣାପଡିଛି । ସେ ତାଙ୍କର ଆଉ ତିନି ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ରେ କୌଣସି କାରଣରୁ ବୁଡ଼ି ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଅଗ୍ନିଶମ କର୍ମଚାରୀମାନେ ନଦୀରେ ବ୍ୟାପକ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାବାଳକଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ କାନ୍ଦଣାର ପରିବେଶ ସୃଷ୍ଟି ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

