ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉପରେ ଏକ ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ବୟାନର ସ୍ବତଃ ତଦନ୍ତ କରିଛନ୍ତି। କୋର୍ଟ ବିଜୟ ଶାହାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ମଧ୍ୟପ୍ରଦେଶର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ଅତୁଲ ଶ୍ରୀଧରଙ୍କ ଡିଭିଜନ ବେଞ୍ଚ ଚାରି ଘଣ୍ଟା ମଧ୍ୟରେ ମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ସକାଳେ କରାଯିବ। ଯେକୌଣସି ପରିସ୍ଥିତିରେ FIR ପଞ୍ଜିକୃତ ହେବା ଉଚିତ। ଏନେଇ କୋର୍ଟ ଆଡଭୋକେଟ ଜେନେରାଲ ପ୍ରଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିଷୟରେ ଦେଇଥିବା ବିବାଦୀୟ ବୟାନ ପାଇଁ ମନ୍ତ୍ରୀ ବିଜୟ ଶାହ କ୍ଷମା ମାଗିଛନ୍ତି। କିନ୍ତୁ ସମାଲୋଚନା ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ତୀବ୍ର ପ୍ରତିବାଦ କରୁଛି। ଏପରିକି ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହେବା ଉଚିତ ବୋଲି କଂଗ୍ରେସ କହିଛି।
କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉପରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ଭିଡି ଶର୍ମା କହିଛନ୍ତି ଯେ ଭାଜପା ନେତୃତ୍ୱ ସମ୍ବେଦନଶୀଳ। ଏହି ପ୍ରସଙ୍ଗରେ ଏକ ଦୃଢ଼ ବାର୍ତ୍ତା ଦିଆଯାଇଛି। ଏକ ଚେତାବନୀ ମଧ୍ୟ ଦିଆଯାଇଛି। ଭାଜପା ଏପରି ବୟାନକୁ ଅନୁମତି ଦିଏ ନାହିଁ। କଂଗ୍ରେସ କ’ଣ କରେ ଏବଂ କ’ଣ କୁହେ? ମୋତେ ଏ ବିଷୟରେ କହିବାର ଆବଶ୍ୟକତା ନାହିଁ। କର୍ଣ୍ଣେଲ ସୋଫିଆ ସାରା ଦେଶର ଝିଅ।
ପ୍ରକାଶ ଯେ, ମନ୍ତ୍ରୀ ବିଜୟ ଶାହା ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଯେଉଁମାନେ ଆମ ଝିଅମାନଙ୍କର ସିନ୍ଦୁର ପୋଛିଥିଲେ, ଆମେ ସେମାନଙ୍କ ଭଉଣୀମାନଙ୍କୁ ସେମାନଙ୍କ ପାଖକୁ ପଠାଇ ଜବାବ ଦେଇଥିଲୁ। ତାଙ୍କ ମୁହଁରୁ ଏହି ଶବ୍ଦଗୁଡ଼ିକ ବାହାରିବା ମାତ୍ରେ ସେଠାରେ ହଙ୍ଗାମା ହୋଇଥିଲା। ମନ୍ତ୍ରୀ ଅଟକି ଯାଇ ପରେ କହିଥିଲେ ଯେ କର୍ଣ୍ଣେଲ ସୋଫିଆ ଜଣେ ପ୍ରକୃତ ଭଉଣୀ ଅପେକ୍ଷା ଅଧିକ ସମ୍ମାନିତ। ମୁଁ ତାଙ୍କୁ ପ୍ରଣାମ କରୁଛି। ଯଦି ମୋର ବକ୍ତବ୍ୟ ଦ୍ୱାରା କାହାକୁ ଆଘାତ ଲାଗିଛି, ତେବେ ମୁଁ ୧୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ।


