ଭୁବନେଶ୍ୱର,୩୧।୧୦: ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା, କର୍ମୀଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି । ତିନି ପ୍ରମୁଖ ଦଳ ଭାଜପା, ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନକୁ ଆହୁରି ମଜଭୂତ ଓ କର୍ମୀଙ୍କୁ ସକ୍ରିୟ କରିବାରେ ବ୍ୟସ୍ତ । ଏହି ସମୟରେ ଗୁରୁବାର କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଅଧିନସ୍ଥ ଉଦୟବନ୍ଧ ଗ୍ରାମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତସ୍ତରୀୟ ଏହି କର୍ମୀ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ନିଜର ଅଭିଭାଷଣରେ ମନ୍ତ୍ରୀ କହିଛନ୍ତି ଯେ, ଭାଜପା ହିଁ ଦେଶରେ ଆଦିବାସୀ ଜନଜାତିମାନଙ୍କର ପ୍ରକୃତ ସାଥୀ । ଅଣ ଭାଜପା ଦଳମାନେ ନିରୀହ ସରଳ ଆଦିବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦେଶରେ ଓ ରାଜ୍ୟରେ ଶାସନ କରୁଥିଲେ। ଆଦିବାସୀ ଜନଜାତିଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ତାଙ୍କ ଅଧିକାରକୁ ଲୁଣ୍ଠନ କରୁଥିଲେ। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଆସିଲା ପରେ ହିଁ ଆଦିବାସୀ ଜନଜାତିଙ୍କ ସାମାଜିକ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇ ଆଦିବାସୀ ଜନଜାତିଙ୍କୁ ତାଙ୍କର ଅଧିକାର ଦେଇଛି । ମୋଦି ସରକାରର ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସର୍ବାଧିକ ଲାଭ ଆଦିବାସୀ ଜନଜାତିମାନେ ହିଁ ପାଇଛନ୍ତି। ଏଣୁ ଆଦିବାସୀ ଜନଜାତି ଭାଜପା ଉପରେ ବିଶ୍ବାସ ରଖି ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରନ୍ତୁ । ଏହି ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଫକୀର ମୋହନ ନାଏକ ଉପସ୍ଥିତ ଥିଲେ ।
Dharitri – The Largest & Most Trusted Odia Daily
\


