କାମରେ ଲାଗୁନି ଖଣି ସ୍କ୍ବାଡ୍‌

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣି ଚୋରି ଓ ଖଣିଜପଥର ମାନ ହେରଫେର କରି ବେଆଇନ ଚାଲାଣ ରୋକିବା ପାଇଁ ଗଠନ ହୋଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଠିକ୍‌ ଭାବେ କାମ କରୁନାହିଁ। ଗତ କିଛି ମାସ ହେବ ଧରପଗଡ଼ ହେଉ ନ ଥିବାରୁ କେନ୍ଦୁଝର ଦେଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଗ୍ରେଡ୍‌ ହେରଫେର କରି ଉଚ୍ଚମାନର ଲୁହାପଥର ଏବଂ ମାଙ୍ଗାନିଜ ଚାଲାଣ ହେଉଛି। ଫଳରେ ବ୍ୟାପକ ରାଜସ୍ବହାନି ହେଉଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅଭିଯୋଗ କରିଛନ୍ତି। ଏଣୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଜିଲାରେ ଖଣି ମହାଦୁର୍ନୀତି ପଦାକୁ ଆସିଲା ପରେ ଖଣି, ରାଜସ୍ବ, ପୋଲିସ, ବନ ବିଭାଗକୁ ନେଇ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥିଲା। ଓଡ଼ିଶା ଖଣି ନିଗମ ପକ୍ଷରୁ ଗଠିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପାଇଁ କେନ୍ଦୁଝର ଖଣି କାର୍ଯ୍ୟାଳୟ, ଯୋଡ଼ା ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଗାଡ଼ି ଦିଆଯିବା ସହ ତେଲ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ସ୍କ୍ବାଡ୍‌ କିଛି ବର୍ଷ ଜୋର୍‌ଦାର ଚଢ଼ାଉକରି ଚୋରା କାରବାରରେ ରୋକ ଲଗାଇଥିଲା। କେନ୍ଦୁଝର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ଥିବା ସ୍କ୍ବାଡ୍‌ ଦୀର୍ଘ ମାସ ହେବ ନିୟମିତ ଯାଞ୍ଚକରୁ ନ ଥିବା ଅଭିଯୋଗ ହୋଇଛି। ଏହାର ସୁଯୋଗ ନେଇ ବେଆଇନ ଖଣି ଚୋରା କାରବାର ବଢୁଛି। ରାଜ୍ୟସ୍ତରରେ ଥିବା ସ୍କ୍ବାଡ୍‌ ମଧ୍ୟ ଯାଞ୍ଚ କରୁ ନ ଥିବାରୁ ମାଫିଆମାନେ ବେଧଡ଼କ ଖଣି ଚୋରା କାରବାର କରୁଛନ୍ତି। କେତେକ ଖଣି ସଂସ୍ଥା ଖଣିର ମାନ କମ୍‌ କରି ଲୁହାପଥର ଏବଂ ମାଙ୍ଗାନିଜ ଚାଲାଣ କରୁଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ରାଜସ୍ବହାନି ହେଉଛି। ଚଢ଼ାଉ ପାଇଁ ଦିଆଯାଇଥିବା ଗାଡ଼ିଗୁଡ଼ିକ ନିଜସ୍ବ କାମରେ ବ୍ୟବହାର ହେଉଥିବା ବେଳେ ତେଲ ଖର୍ଚ୍ଚ ହେରଫେର ହେଉଛି। ପୂର୍ବରୁ କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଧରପଗଡ଼ ବେଳେ ବ୍ୟାପକ ଗ୍ରେଡ୍‌ ହେରଫେର ହେଉଥିବା ଯାଞ୍ଚ ବେଳେ ଧରା ପଡ଼ିଥିଲା। କେତେକ ଲିଜ୍‌ଧାରୀ ଏଥିପାଇଁ ଜରିମାନା ମଧ୍ୟ ଦେଇଛନ୍ତି। ଖଣି ସ୍କ୍ବାଡ୍‌ ଧରପଗଡ଼ କଲେ ଖଣି ଚୋରା କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି। କେନ୍ଦୁଝର ସ୍କ୍ବାଡ୍‌ ଉପନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ରାଉତ କହିଛନ୍ତି, ଲଘୁ ବନଜାତ ଦ୍ରବ୍ୟ ଖଣି ବିଭାଗ ଅଧୀନକୁ ଆସିଥିବାରୁ ଏବେ ସେସବୁ କାମ ଚାଲିଛି। ଫଳରେ ଜିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କାମ କରିପାରୁନାହିଁ। ତେବେ ଏହି କାମ ସରିବା ପରେ ପୁଣି ଖଣିଜ ମାନ ଯାଞ୍ଚ କାମ ହେବ ବୋଲି କହିଥିଲେ।