ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସ୍ଥାନୀୟ ସରକାରୀ ଅଧିକାରୀ ଏବଂ ଜରୁରୀକାଳୀନ ସେବା ସଂସ୍ଥା ଏନେଇ ସୂଚନା ଦେଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରକାଶଥାଉକି, ଗୋଟିଏ ସପ୍ତାହ ପୂର୍ବରୁ ସମାନ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଥିଲା।
ପ୍ରାଦେଶିକ ପରିବହନ ବିଭାଗର ଜଣେ ଅଧିକାରୀ ସିବୋନିସୋ ଡୁମା ଏକ ବିବୃତ୍ତିରେ କହିଛନ୍ତି ଯେ ଘଟଣାସ୍ଥଳରେ ସମସ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ପିଲା ମଧ୍ୟ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରକ୍ ଡ୍ରାଇଭର ୟୁ-ଟର୍ଣ୍ଣ ନେଇଥିଲେ, ଯାହା ଫଳରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘରୋଇ ପାରାମେଡିକ୍ ସେବା ALS ପାରାମେଡିକ୍ସର ମୁଖପାତ୍ର ଗାରିଥ ଜାମିସନ୍ କହିଛନ୍ତି ଯେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।

