Categories: ବାଣିଜ୍ୟ

ପୁଣି ସହରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୩୦।୬ : ଲକ୍‌ଡାଉନରେ ବିଭିନ୍ନ ସମସ୍ୟା ସାମ୍ନା କରିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଫେରିଥିବା ଦେଖାଯାଇଥିଲା। ସହରକୁ କାମଧନ୍ଦା ଆଶାରେ ଆସି ଲକ୍‌ଡାଉନରେ ବିଭିନ୍ନ ଦୀର୍ଘଦିନ ଧରି ବିନା କାମ ବସିବା ଏବଂ ହଇରାଣ ହରକତ ହେବା ଯୋଗୁ ଗାଁମୁହାଁ ହୋଇଥିଲେ। ମାତ୍ର ଗାଁରେ ମଧ୍ୟ ଠିକ୍‌ ଭାବେ କାମ ମିଳୁ ନ ଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ଏବଂ ତେଲଙ୍ଗାନା ସମେତ ପଞ୍ଜାବ ଭଳି ରାଜ୍ୟକୁ ଫେରୁଥିବା ଦେଖାଯାଉଛି। ଏହି ସମୟରେ କରୋନା ଭାଇରସ୍‌କୁ ବେଖାତିର କରି ସେମାନେ କାମଧନ୍ଦା ଆଶାରେ ପୁଣି ଥରେ ନିଜ ଗାଁ ଛାଡି ସହର ମୁହଁା ହେଉଛନ୍ତି। ଶ୍ରମିକଙ୍କୁ ପୁଣି ଥରେ ଶିଳ୍ପ ୟୁନିଟ୍‌କୁ ଫେରାଇ ଆଣିବା ଲାଗି ଟ୍ରେନ, ଫ୍ଲାଇଟ ଟିକେଟ ବ୍ୟବସ୍ଥା କରାଯାଉଛି। ଲକ୍‌ଡାଉନ କଟକଣା ଉଠିବା ଯୋଗୁ ବର୍ତ୍ତମାନ ଧୀରେ ଧୀରେ କଳକାରଖାନା, ନିର୍ମାଣ କାର୍ଯ୍ୟ, ମାନୁଫାକଚରିଂ ଟ୍ରାକ୍‌କୁ ଫେରୁଛି। କେତେକ ସ୍ଥାନରେ ବସ୍‌ ଯୋଗୁ ଶ୍ରମିକଙ୍କୁ କଳକାରଖାନାକୁ ଫେରାଉ ଅଣାଯାଉଛି। କୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଚାର୍ଟାର୍ଡ ଫ୍ଲାଇଟ ବ୍ୟବସ୍ଥା କରାଯାଉଥିବା ଦେଖାଯାଉଛି। ସେହିଭଳି ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଲୋଭନୀୟ ଅଫର ମଧ୍ୟ କେତେକ ସ୍ଥଳେ ଦିଆଯାଉଥିବା ଜଣାପଡିଛି।

Share