ଲସ୍ ଆଞ୍ଜେଲସ୍, ୧୪।୭: କିଙ୍ଗ୍ ଅଫ୍ ପପ୍ ଭାବେ ପରିଚିତ ମାଇକେଲ୍ ଜ୍ୟାକସନ୍ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି। ସିନେମାଟି ବିଶ୍ୱବ୍ୟାପୀ ୧ ବିଲିୟନ ଆମେରିକୀୟ ଡଲାର (୧୦୦ କୋଟିରୁ ଅଧିକ) ଆୟ କରି ଦୁନିଆର ପ୍ରଥମ ସଫଳ ବାୟୋପିକ୍ରେ ପରିଣତ ହୋଇଛି।
ମାଇକେଲଙ୍କ ପୁତୁରା ଜାଫର୍ ଜ୍ୟାକସନ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଫୁକ୍ୱାଙ୍କ ନିର୍ଦ୍ଦେଶିତ ଏବଂ ଲାୟନ୍ସଗେଟ ଓ ୟୁନିଭର୍ସାଲ୍ ପିକ୍ଚର୍ସ୍ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଗତ ଏପ୍ରିଲ ୨୪ରେ ମୁକ୍ତିଲାଭ କରିଥିଲା। ପ୍ରସିଦ୍ଧ ପତ୍ରିକା ‘ଭେରାଇଟି’ ଅନୁଯାୟୀ ଫିଲ୍ମଟି ଆମେରିକା ବାହାରେ ୬୨୯.୮ ମିଲିୟନ ଡଲାର ଓ ଘରୋଇ ବଜାରରେ ୩୭୧.୮ ମିଲିୟନ ଡଲାର ସହ ମୋଟ ୧.୦୦୧ ବିଲିୟନ ଡଲାର ଆୟ କରିଛି।
ସଂସ୍ଥା ଲାୟନ୍ସଗେଟ ଇତିହାସରେ ୧ ବିଲିୟନ ଡଲାର ଆୟ କରିବାରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।
ଏହାପୂର୍ବରୁ ‘ଦି ହଙ୍ଗର ଗେମ୍ସ’ (୮୫ ମିଲିୟନ ଡଲାର ସହିତ) ସଂସ୍ଥାର ସବୁଠାରୁ ସଫଳ ଫିଲ୍ମ ଥିଲା। ଏହି ଚଳଚ୍ଚିତ୍ରରେ ସଙ୍ଗୀନ ଦୁନିଆର ମହାନାୟକ ମାଇକେଲ୍ ଜ୍ୟାକ୍ସନଙ୍କ ପିଲାଦିନର ସଙ୍ଗୀତ ଗ୍ରୁପ ‘ଜ୍ୟାକସନ୍ ୫’ ଠାରୁ ଆରମ୍ଭ କରି ୧୯୮୦ ଦଶକର ପ୍ରସିଦ୍ଧ ‘ବ୍ୟାଡ୍ ଟୁର୍’ ପର୍ଯ୍ୟନ୍ତ ରୋମାଞ୍ଚକର ଜୀବନଯାତ୍ରାକୁ ଦେଖାଯାଇଛି।