ଗାଁରେ ଡେରା ପକାଇଲେଣି ବେପାରୀ

ବେତନଟୀ,୬ା୧୨(ସ୍ବ.ପ୍ର.): ପ୍ରକୃତିର ତାଡ଼ନା ପରେ ଏବେ ସରକାରୀ କଳର ଅବ୍ୟବସ୍ଥା ଭିତରେ ପେଷି ହେଉଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ହଜାର ହଜାର ଧାନ ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଅମଳ ଧାନକୁ ପକାଇ ରଖିବା ବଦଳରେ ଯେନତେନ ଉପାୟରେ ବିକ୍ରି କରି ଚିନ୍ତାମୁକ୍ତ ହେବାକୁ ଶ୍ରେୟ ମଣୁଛନ୍ତି। ଚଳିତ ବର୍ଷ ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଛନ୍ତି। ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିଲା। ଅମଳ ପୂର୍ବରୁ ଲଗାଣ ବର୍ଷା, ଅମଳ ବେଳକୁ ଚକଡ଼ା ପୋକ ସାଙ୍ଗକୁ ପୁଣି ନିଅଣ୍ଟିଆ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ଧାନ ଥୋଡ଼ ଠିକ୍‌ ଭାବରେ ବାହାରି ପାରିଲାନି। ତଥାପି ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଚଳିତ ବର୍ଷ ଭଲ ଧାନ ଅମଳ କରିଛନ୍ତି। ତେବେ ଆସନ୍ତା ଡିସେମ୍ବର ୨୦ରେ ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ମଣ୍ଡି ଖୋଲିବା ନେଇ ପ୍ରଶାସନର ପ୍ରସ୍ତାବ ରହିଛି। କିନ୍ତୁ ଏଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ଏପର୍ଯ୍ୟନ୍ତ ସରିନାହିଁ। ଏହା ପୂର୍ବରୁ ସ୍ଥାନୀୟ ଓ ପଶ୍ଚିମବଙ୍ଗ ବେପାରୀ ସେମାନଙ୍କ କାୟାବିସ୍ତାର କରି ସାରିଲେଣି। ବେତନଟୀ ବ୍ଲକ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ ଚାଲାଣ ହେଉଛି। ଏଠାରେ ମଣ୍ଡିରୁ ଧାନକିଣା ଆଗରୁ ଚାଷୀ ଅମଳ ଧାନକୁ କମ୍‌ ମୂଲ୍ୟରେ ବେପାରୀଙ୍କୁ ବିକି ଦେଉଛନ୍ତି। ବ୍ଲକ କୃଷି ଓ ଯୋଗାଣ ବିଭାଗ ଏନେଇ ପଦକ୍ଷେପ ଗ୍ରହଣ ନ କରି ନିରବଦ୍ରଷ୍ଟା ସାଜିଛି।