ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା ଗର୍ଭବତୀ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ସେହି ଗ୍ରାମର ଜଣେ ଯୁବକ ଏହି ମାନସିକ ବିକୃତ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରି ଶେଷରେ ଗର୍ଭବତୀ କରିଥିବା ଆଲୋଚନା ହେଉଛି ।ନୀଳାଦ୍ରିପୁର ଲବଣ ଶ୍ରମିକ ସ୍କୁଲର ଜଣେ ଶିକ୍ଷକ ସମ୍ପୃକ୍ତା ମହିଳାଙ୍କ ଗର୍ଭପାତ କରିବାକୁ ନେଇଥିବା ବେଳେ ଘଟଣା ପ୍ରଘଟ ହୋଇଥିଲା । ଖବର ପ୍ରଚାର ପରେ ଗ୍ରାମବାସୀ ହୁମା ଫାଣ୍ଡିରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡିରେ ସେମାନେ ହୋହଲା କରିଥିଲେ। ଶିକ୍ଷକ ଜଣକ ଗର୍ଭପାତ ପାଇଁ ନେଇଥିବା ବେଳେ ତାଙ୍କ ସ୍ବାମୀ କିଏ ବୋଲି ମେଡିକାଲ କର୍ତ୍ତୃପକ୍ଷ ପଚାରିବାରୁ ସେ ହଡ଼ ବଡେଇ ଯାଇ ଶେଷରେ ସେଠାରୁ ଫେରି ଆସିଥିଲେ । ସୋମବାର ସନ୍ଧ୍ୟାରେ ଗ୍ରାମବାସୀ ହୁମା ଫାଣ୍ଡିକୁ ଯାଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଏନେଇ ହୁମା ଫାଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ।

