ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବ୍ରହ୍ମପୁର ଅଫିସ୍‌,୨୫।୮: ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସୈନ୍ୟବାହିନୀରେ ଖାଲି ପଡିଥିବା ୨ଲକ୍ଷରୁ ଊଦ୍ଧର୍‌ବ ପଦବୀ ପୂରଣ ଦାବି ନେଇ ଗୁରୁବାର ଗଣତାନ୍ତ୍ରିକ ଯୁବ ଫେଡେରେଶନ (ଡିୱାଇଏଫ୍‌ଆଇ) ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆର୍‌ଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସଂଘ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍‌ଠାରୁ ଏକ ଶୋଭାଯାତ୍ରା ବାହାରି ଆର୍‌ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲା। ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡିୱାଇଏଫ୍‌ଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ବେହେରା ଅଗ୍ନିପଥ ଯୋଜନା ଦେଶର ନିରାପତ୍ତା ଓ ଯୁବ ସମାଜ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ର ଭାଜପା ସରକାର ଦେଶର କମ୍ପାନୀଗୁଡିକୁ ଲକ୍ଷାଧିକ ଟଙ୍କା ଛାଡ଼ ଓ ରିହାତି ଦେଉଛନ୍ତି। ହେଲେ ଦେଶରକ୍ଷା ପାଇଁ ଜୀବନ ଦେଉଥିବା ସୈନିକଙ୍କୁ ସାମାଜିକ ସୁରକ୍ଷା ଓ ସ୍ଥାୟୀ ନିଯୁକ୍ତି ନ ଦେବା ନୀତିକୁ ଯୁଧିଷ୍ଠିର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ଜିଲା ସମ୍ପାଦକ ଅଜିତ ପାଣିଗ୍ରାହୀ, ଯୁବନେତା ଦିଲୀପ ପଗଡ ଓ ଜିଲା ଉପସଭାପତି ଶ୍ରୀଧର ସ୍ବାଇଁଙ୍କ ସମେତ ଗୋକୁଳ ତ୍ରିପାଠୀ, ରଞ୍ଜନ ପାତ୍ର, ଅଜୟ ଗୌଡ଼, ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ବାଇଁ, କୃଷ୍ଣ ତରାଇ, ପ୍ରଶାନ୍ତ ବିଶୋଈ ପ୍ରମୁଖ ଉପସ୍ଥିତ ଥିଲେ।