ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ଭଦ୍ରକ ଜିଲା ଶାଖା ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ବୁଧବାର ଭଦ୍ରକ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇ ଏହାର ଏକ ନକଲ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ବନ୍ତ ବଜରଙ୍ଗ ଦଳର ପ୍ରମୁଖ ସୁରଜ ଶେଖର ଗୋସ୍ବାମୀ ଏବଂ ଜିଲା ସମ୍ପାଦକ ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ବନ୍ତ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଏହି ସ୍ମାରକପତ୍ର ଦେଇଛନ୍ତି। ଚିଠିରେ ଦର୍ଶାଯାଇଛି ଯେ, ପର୍ବ ଆଳରେ ଶହ ଶହ ନିରୀହ ଗୋମାତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଉଛି, ଯାହା ହିନ୍ଦୁ ସମାଜର ଧାର୍ମିକ ଭାବନା ଓ ସଂସ୍କୃତିକୁ ଗଭୀର ଆଘାତ ପହଞ୍ଚାଉଛି ଏବଂ ଅଞ୍ଚଳରେ ଆକ୍ରୋଶର ବାତାବରଣ ସୃଷ୍ଟି କରୁଛି। ଗୋମାତାଙ୍କ ଜୀବନ ରକ୍ଷା ପାଇଁ ଭଦ୍ରକ ଜିଲାର ପୁରୁଣାବଜାର, ପଠାଣ ମହଲା, ଚଡ଼କ ମହଲା, କଦମବେଡ଼ା, ମୀର୍ଜାପୁର, ଧାମନଗର, ବନ୍ତ, ଇଚ୍ଛାପୁର, ଗୋଡ଼ିପୋଖରୀ, କଂସା ବସ୍ତି, ଭଣ୍ଡାରିପୋଖରୀ, ପନ୍ଦରବାଟିଆ, ବାସୁଦେବପୁର, ଶୁକଦେବପୁର, ସାବରପୁର, ତିହିଡ଼ି ଏବଂ ପୀରହାଟ ଭଳି ସମ୍ବେଦନଶୀଳ ଏବଂ ସଂଖ୍ୟାଲଘୁ ବହୁଳ ଅଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବିପତ୍ରରେ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସଦସ୍ୟ ସିଦ୍ଧାନ୍ତ ମହାକୁଡ଼, ଜୟଦେବ ମହାରାଜ, ହେମନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, କ୍ଷୀରୋଦ ନାୟକ, ଶାନ୍ତନୁ ପତିଙ୍କ ସମେତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆଇନର କଡ଼ା ଅନୁପାଳନ ପାଇଁ ସଂଗଠନ ପକ୍ଷରୁ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି।