ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। କ୍ୱାରୀ ନିଲାମ ସମୟରେ ଲିଜ୍ଧାରୀ କ୍ରଶର ମାଲିକଙ୍କୁ ଅଗ୍ରାଧିକାର ପ୍ରଦାନ, ଆବଶ୍ୟକ ସମସ୍ତ ଅନୁମତି ଓ ମଞ୍ଜୁରୀ ସଂଗ୍ରହ କଲା ପରେ କ୍ୱାରୀ ନିଲାମ କରିବା, କ୍ରଶର ଚାଲୁହେବା ପରେ ୩ ମାସିଆ ଅଗ୍ରିମ ରୟାଲ୍ଟି ଜମା ପାଇଁ ବ୍ୟବସ୍ଥା,ଏଗ୍ରିମେଣ୍ଟ ପାଇଁ ଆବଶ୍ୟକ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ କରିବା, ସ୍ଥାନୀୟ ବେରୋଜଗାର ଲୋକଙ୍କୁ ଅଗ୍ରାଧିକାର ଦେବା ସହ ରାଜ୍ୟ ବାହାର ବ୍ୟକ୍ତିଙ୍କୁ କ୍ୱାରୀ ଲିଜ ନ ଦେବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେବା ଭଳି ୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପାଣିଗ୍ରାହୀ ପ୍ରଦାନ କରିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀ ଅନୁଧ୍ୟାନ କରିବା ପରେ ସରକାର ଉଚିତ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।


