Categories: ଖେଳ

ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍‌; ଏବେ ବିଶ୍ୱରେକର୍ଡର ଅଧିକାରିଣୀ

ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଅନୁରାଧା ଲଗାତର ୪ ବଲରେ ୪ ଉଇକେଟ୍‌ ନେଇ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ମ୍ୟାଚ୍‌ରେ ସେ ମୋଟ୍‌ ୩ ଓଭର ବୋଲିଂ କରି ୨ ମେଡେନ ସହ ୧ ରନ୍‌ ବ୍ୟୟରେ ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଟି୨୦ ମହିଳା କ୍ରିକେଟ୍‌ରେ ୧୯ଜଣ ବୋଲର ହ୍ୟାଟ୍ରିକ ସଫଳତା ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଲଗାତର ୪ ବଲରେ ୪ ଉଇକେଟ୍‌ ନେବାର ସୌଭାଗ୍ୟ ପାଇନାହାନ୍ତି।


ଭାରତୀୟ ବାସିନ୍ଦା ଅନୁରାଧା ପୂର୍ବରୁ କର୍ନାଟକ ୧୯ ବର୍ଷରୁ କମ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ମେଡିକାଲ ଅଧ୍ୟୟନ ଲାଗି ଯଦିଓ ୩୩ ବର୍ଷୀୟା ଅନୁରାଧା ଭାରତ ଛାଡ଼ି ଜର୍ମାନୀ ପଳାଇଥିଲେ, କିନ୍ତୁ କ୍ରିକେଟ୍‌କୁ ଛାଡ଼ିପାରି ନ ଥିଲେ। ଅନୁରାଧାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେ କର୍ନାଟକ ମହିଳା କ୍ରିକେଟର୍‌ଙ୍କ ଟ୍ରେନିଂ ଗ୍ରୁପ୍‌ରେ ସାମିଲ ହୋଇଥିଲେ। ପୂର୍ବତନ ଭାରତୀୟ ମହିଳା କ୍ରିକେଟର୍‌ ଶାନ୍ତା ଗୋସ୍ବାମୀ ଓ ବ୍ୟାଟ୍ସଓମ୍ୟାନ କଳ୍ପନା ବେକଟଚରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଏହାପରେ କର୍ନାଟକ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ମହିଳା ଦଳ ପକ୍ଷରୁ ସେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ତେବେ ମେଡିକାଲ ଅଧ୍ୟୟନ ଲାଗି ତାଙ୍କୁ ଶେଷରେ ଭାରତ ଛାଡ଼ିବାକୁ ପଡ଼ିଥିଲା। ଜର୍ମାନୀ ଯାଇଥିଲେ ମଧ୍ୟ ଅନୁରାଧା କ୍ରିକେଟ୍‌ ଖେଳିବା ଛାଡ଼ି ନ ଥିଲେ। ସେଠାରେ ସ୍ଥାନୀୟ କ୍ଲବ ପକ୍ଷରୁ ଖେଳି ଶେଷରେ ସେ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହୋଇପାରିଥିଲେ।

Share