ଅଧା ବାଟରେ ଏମ୍‌ଡିଏମ୍‌ ଚାଉଳ ହଡ଼ପ

ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଯୋଜନା ପ୍ରଣୟନ ହୋଇଛି। ୨୦୨୧ ଜୁଲାଇରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପିଲାମାନଙ୍କୁ ପୁଷ୍ଟିକର ଚାଉଳ ପ୍ରଦାନ କରାଯାଉଛି। ଏହି ଚାଉଳକୁ ଗୋଦାମ ଘରୁ ସିଧାସଳଖ ସ୍କୁଲରେ ପହଞ୍ଚାଇବାକୁ ଜିଲା ଶିକ୍ଷା ବିଭାଗ ଏବଂ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପରିବହନ ଠିକାସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ଅଧାବାଟରେ ଗାଏବ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। କୁଇଣ୍ଟାଲ ପିଛା ୧୦ରୁ ୧୫ କେଜି କମ୍‌ ଯୋଗାଣ କରି ଠିକାସଂସ୍ଥା ମାଲାମାଲ ହେଉଛନ୍ତି। ଫଳରେ ପିଲାଙ୍କ ଭାତଥାଳିକୁ ମାସକୁ ନିର୍ଦ୍ଧାରିତ ୩ କେଜି ବଦଳରେ ପ୍ରାୟ ୨ କେଜି ଚାଉଳ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ପିଲାଙ୍କ ପେଟରୁ କାଢ଼ି ସେହି ଚାଉଳ ବାହାରେ ବିକ୍ରି ହେଉଥିବାବେଳେ ଅସାଧୁ କର୍ମଚାରୀଙ୍କ ସହଯୋଗ ରହୁଥିବାରୁ ଯେତେ ଯାହା ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଅଭିଭାବକମାନେ କହୁଛନ୍ତି।
ରାଜ୍ୟର ୯ ଜିଲାରେ ୧୫ ଲକ୍ଷ ୬୮ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ୪୪୩୫.୬୩ ମେଟ୍ରିକ ଟନ ଚାଉଳ ଯୋଗାଣ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ସେଥିରୁ ୧୦% ରୁ ଅଧିକ ଚାଉଳ ହଡ଼ପ କରାଯାଉଛି। ଅନୁଗୋଳ, କଟକ, ଜଗତ୍‌ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲା ଯୋଗାଣ ଅଧିକାରୀମାନଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ସୋମବାର ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ କେଶରୀ ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଏହି ଚାଉଳ ଯୋଗାଇ ଦିଆଯିବ ଏବଂ କୁଇଣ୍ଟାଲ ପିଛା ବର୍ଦ୍ଧିତ ୭୩ ଟଙ୍କା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ଆବଶ୍ୟକ ପୁଷ୍ଟିକର ଚାଉଳ ମହଜୁଦ ରଖିବା ସହ ପ୍ରୁଡେଣ୍ଟ ମୁଭମେଣ୍ଟ ପ୍ଲାନ(ପିଏମ୍‌ପି) ଜରିଆରେ ପରିବହନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ମାସିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ଅନୁଗୋଳ ଜିଲାର ୧,୨୧,୭୦୨ ଛାତ୍ରୀଛାତ୍ରଙ୍କ ପାଇଁ ୩୪୫.୫୭ କୁଇଣ୍ଟାଲ, କଟକ ଜିଲାର ୧,୯୪,୧୫୪ ଛାତ୍ରୀଛାତ୍ରଙ୍କ ପାଇଁ ୫୫୪.୬୮ କୁଇଣ୍ଟାଲ, ଜଗତ୍‌ସିଂହପୁର ଜିଲାର ୮୪,୨୭୪ ଛାତ୍ରୀଛାତ୍ରଙ୍କ ପାଇଁ ୨୩୮.୩୪ କୁଇଣ୍ଟାଲ, ଯାଜପୁର ଜିଲାର ୨,୦୪,୪୨୬ ଛାତ୍ରୀଛାତ୍ରଙ୍କ ପାଇଁ ୫୮୦.୫୨ କୁଇଣ୍ଟାଲ, କନ୍ଧମାଳ ଜିଲାର ୧,୧୦,୭୨୫ ଛାତ୍ରୀଛାତ୍ରଙ୍କ ପାଇଁ ୩୦୯.୯୯ କୁଇଣ୍ଟାଲ, କେନ୍ଦ୍ରାପଡା ଜିଲାର ୧,୫୦,୩୪୨ ଜଣଙ୍କ ପାଇଁ ୪୨୩.୫୪ କୁଇଣ୍ଟାଲ, କେନ୍ଦୁଝର ଜିଲାର ୨,୨୦,୬୬୩ ଜଣଙ୍କ ପାଇଁ ୬୨୧.୨୦ କୁଇଣ୍ଟାଲ, ମୟୂରଭଞ୍ଜ ଜିଲାର ୨,୯୮,୪୪୬ ଜଣଙ୍କ ପାଇଁ ୮୪୦.୧୪ କୁଇଣ୍ଟାଲ ଏବଂ ସୁନ୍ଦରଗଡ଼ ଜିଲାର ୧,୮୩,୨୬୮ ଛାତ୍ରୀଛାତ୍ରଙ୍କ ପାଇଁ ୫୨୧.୬୫ କୁଇଣ୍ଟାଲ ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶରେ ଦର୍ଶାଯାଇଛି। କୁଇଣ୍ଟାଲ ପିଛା ଚାଉଳ ପରିବହନ କରିବା ପାଇଁ ବିଭିନ୍ନ ସ୍ତରରେ ୭୫ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ଟେଣ୍ଡର ଆହ୍ବାନ କରାଯାଉଛି। କିନ୍ତୁ କୁଇଣ୍ଟାଲ ପିଛା ତାହାର ପ୍ରାୟ ୫୦% କମ୍‌ ଦରରେ ଟେଣ୍ଡର ପକାଇ ଠିକା ହାସଲ କରୁଛନ୍ତି। ଏତେ କମ୍‌ ହାରରେ ଠିକା ନେବା ପରେ ପରିବହନ ସଂସ୍ଥା ଚାଉଳ କାଢ଼ି ଲାଭବାନ ହେଉଛନ୍ତି। ଫଳରେ ଗରିବ ପିଲାଙ୍କ ପେଟ ଏଥିରେ ପୂରୁ ନ ଥିବା ଅଭିଯୋଗ ହେଉଛି। ଏପରି ଭାବେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଏମ୍‌ଡିଏମ୍‌ ବାଟବଣା ହେଉଥିବାରୁ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉୁଛି। ଏହାସହ ଗୋଦାମରୁ ଚାଉଳ ଉଠାଇବା ପରେ ସେହି ଚାଉଳକୁ ବଦଳ କରି ପରିବହନକାରୀ ସଂସ୍ଥା କମ୍‌ ଓଜନ ବିଶିଷ୍ଟ ଏବଂ ନିମ୍ନମାନର ଅନ୍ୟ ଚାଉଳ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଉଥିବା ଅଭିଯୋଗ ହେଉଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେଜଣ ଅଭିଭାବକ କୁହନ୍ତି, ବର୍ତ୍ତମାନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରନ୍ଧା ହେଉ ନାହିଁ। ତେଣୁ ଅଭିଭାବକମାନେ ସ୍କୁଲକୁ ଯାଇ ଚାଉଳ ଆଣୁଛନ୍ତି। ନିର୍ଦ୍ଧାରିତ ଚାଉଳଠାରୁ କମ୍‌ ଚାଉଳ ଦେଉଥିବା ଅଭିଯୋଗ କଲେ ପରିବହନକାରୀ ସଂସ୍ଥା ଯେଉଁ ହାରରେ ଚାଉଳ ଦେଉଛନ୍ତି ସେହି ଆଧାରରେ ଚାଉଳ ବଣ୍ଟନ ହେଉଥିବା ଉତ୍ତର ମିଳୁଛି ବୋଲି ସେମାନେ କହିଛନ୍ତି। ଯାଜପୁର ଜିଲା ସମାଜ କଲ୍ୟାଣ ଅଧିକାରୀ ସୁବାସ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ପରିବହନ ଠିକାସଂସ୍ଥା ଯଦି କମ୍‌ ଚାଉଳ ଦେଉଛନ୍ତି ତେବେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର କର୍ତ୍ତୃପକ୍ଷ କାହିଁକି ଚାଉଳ ଗ୍ରହଣ କରୁଛନ୍ତି। ଏଥିରେ ସେମାନେ ମନା କରିବା ଉଚିତ। ଯଦି ଏଭଳି ଅଭିଯୋଗ ଆସେ ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri