ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା। ଏଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା ଅମ୍ବିକାଦେଇପୁର ମାହାଲୀସାହି ଗ୍ରାମରେ। ମୃତକ ରଇବାରୀ ସିଂ ଏକୁଟିଆ ରହୁଥିବା ବେଳେ ଆଜି ସେ ଘରେ ଥିଲେ, ଅପରାହ୍ନରେ ପଡ଼ୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର କରିବା ପରେ ସେ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ବିତ କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି। ସେପଟେ ଅଭିଯୁକ୍ତ ରଘୁ ହେମ୍ବ୍ରମକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।


