Categories: ଖେଳ

ଫାଇନାଲରେ ମାୟା

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ସେମିଫାଇନାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭାରତର ମାୟା ରାଜେଶ୍ୱରନ ରେଭଥୀ ଉଭୟ ବାଳିକା ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ବାଳିକା ସିଙ୍ଗଲ୍ସ ପ୍ରଥମ ସେମିଫାଇନାଲରେ ମାୟା ଥାଇଲାଣ୍ଡର ନାତ୍ରଡା ସକୁଲଭୋଙ୍ଗତାନାଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟତମ ଭାରତୀୟ ଖେଳାଳି ହରିଥା ଶ୍ରୀ ଭେଙ୍କଟେଶ୍‌ କିନ୍ତୁ ସେମିଫାଇନାଲରେ ହାରି ଯାଇଛନ୍ତି। ସେ କୋରିଆର ଜିୟୁନ ଓ’ଙ୍କଠାରୁ ୦-୬, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ବାଳିକା ଡବଲ୍ସ ସେମିଫାଇନାଲରେ ମାୟା ଓ ହରିଥା ଯୋଡ଼ି ତୁର୍କମେନିସ୍ତାନର ଇଲିମା ଗୁସେନୋଭା ଓ ଉଜ୍‌ବେକିସ୍ତାନର ଇମିଲି କିମ୍‌ ଯୋଡ଼ିଙ୍କୁ ୧-୬, ୬-୨ (୧୦-୬)ରେ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ୟ ସେମିଫାଇନାଲରେ କୋରିଆ ଯୋଡ଼ି ୟେରି ହଙ୍ଗ ଓ ଜିୟୁନ ଓ’ ୬-୪, ୩-୬ (୧୧-୯)ରେ କାଜାଖସ୍ତାନ ଯୋଡ଼ି ଇଭା କୋରିଶେଭା ଓ ୟେର୍କଝାନ ଝାଣ୍ଟାୟେଭାଙ୍କୁ ହରାଇ ଟାଇଟଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। କୋରିଆ ଓ ଭାରତୀୟ ଯୋଡ଼ି ମଧ୍ୟରେ ଫାଇନାଲ ହେବ।
ବାଳକ ସିଙ୍ଗଲ୍ସ ପ୍ରଥମ ସେମିଫାଇନାଲରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ୬-୩, ୬-୩ ସେଟ୍‌ରେ ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇଙ୍କୁ ଏବଂ ଦ୍ୱିତୀୟ ସେମିଫାଇନାଲରେ କୋରିଆର ଓନମିନ କିମ୍‌ ୬-୨, ୩-୬, ୬-୦ ସେଟ୍‌ରେ ହଂକଂର ଆନ୍ଦ୍ରେ ଲାମ୍‌ ଜୁନ୍‌ ବାର୍ଟଙ୍କୁ ହରାଇ ଦେଇଛନ୍ତି। ଅର୍ଥାତ୍‌ ଦୁଇ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଟାଇଟଲ ମୁକାବିଲା ହେବ। ସେହିପରି ବାଳକ ଡବଲ୍ସ ପ୍ରଥମ ସେମିଫାଇନାଲରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ଓ ଓନମିନ କିମ୍‌ ୬-୪, ୬-୩ରେ ହଂକଂର ଆନ୍ଦ୍ରେ ଲାମ୍‌ ଜୁନ୍‌ ବାର୍ଟ ଓ ଆଲେକ୍ସ ଲାପ୍‌ ହାଙ୍ଗ ହୁଇଙ୍କୁ ହରାଇଛନ୍ତି। ଦ୍ୱିତୀୟ ସେମିରେ ଥାଇଲାଣ୍ଡର ର୍ୟୁ କୋଟିକୁଲା ଓ ଧର୍ମା ପାଣ୍ଟାରାଟର୍ନ ଭାରତୀୟ ଯୋଡ଼ି ପ୍ରକାଶ ସରନ ଓ ଶିବତେଜ ଶିରଫୁଲେଙ୍କୁ ୬-୩, ୩-୬ (୧୦-୫)ରେ ପରାସ୍ତ କରିଛନ୍ତି। ଏଥିସହ ବାଳକ ବିଭାଗରେ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି। ବାଳିକା ଡବଲ୍ସ ସେମିଫାଇନାଲ ପୂର୍ବରୁ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠଓ୍ବା ଓ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

Share