ଓ୍ବାଶିଂଟନ୍, ୨୩ା୨: ୧୩୦ରୁ ୩୦୦ ଫୁଟ ଲମ୍ବା ଆଷ୍ଟେରଏଡ୍ ‘ଓ୍ବାଇଆର୍୪’ ସମ୍ପ୍ରତି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ୨୦୩୨ରେ ଏହି ଆଷ୍ଟେରଏଡ୍ ପୃଥିବୀ ସହ ଧକ୍କା ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଦ୍ୱାରା ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସହରକୁ ବିପଦ ଥିବା ନେଇ ଆକଳନ କରାଯାଇଛି।
ତେବେ କେଉଁ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବ ତାହା ଆଷ୍ଟେରଏଡର ଗତି, କୋଣ ଏବଂ ବାୟୁମଣ୍ଡଳୀୟ ପ୍ରଭାବ ଉପରେ ନିର୍ଭର କରିବ। ସେହିପରି ଏହାର ପ୍ରଭାବ ବୋଗୋଟା, କଲମ୍ବିଆ, ନାଇଜେରିଆ ପରି ଦେଶରେ ମଧ୍ୟ ପଡ଼ିପାରେ ବୋଲି ଜ୍ୟୋତର୍ବିିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ଏହି ଆଷ୍ଟେରଏଡ୍ ପୃଥିବୀକୁ ଧକ୍କା ଦେବାର ଆଶଙ୍କାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା କମାଇ ୧.୫% କରିଛି।
ଜ୍ୟୋତିର୍ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ପୃଥିବୀ ସହ ଧକ୍କା ହେବା ସମୟରେ ଏହି ଆଷ୍ଟେରଏଡ୍ଟି ୪୦ ହଜାର ମାଇଲ ପ୍ରତି ଘଣ୍ଟା ବେଗରେ ଗତି କରୁଥିବ। ଫଳରେ ଏହା ହିରୋଶିମା ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଶକ୍ତିଶାଳୀ ଶକ୍ତି ପ୍ରବାହ ଉତ୍ପାଦନ କରିପାରେ। ଏପରି ବିସ୍ଫୋରଣ ପୂରା ସହରକୁ ବିନାଶ କରିପାରେ। ଅନ୍ୟପକ୍ଷରେ ‘ଓ୍ବାଇଆର୍୪’ ଆଷ୍ଟେରଏଡ କେଉଁଠାରେ ପଡ଼ିବ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଭାରତ ସହ ଏହି ଆଷ୍ଟେରଏଡ୍ ଧକ୍କା ହେବାର ଆଶଙ୍କା ୧% ଥିବା ବେଳେ ଓଡ଼ିଶାରେ ଏହା ପଡ଼ିବାର ସମ୍ଭାବନା ଖୁବ୍ କମ୍ ବୋଲି ଓଡ଼ିଶାର ବରିଷ୍ଠ ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।


