କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧.୩୦ରେ ସରିବ। କେବଳ ଗଣିତ ପରୀକ୍ଷାରେ ୧୫ ମିନିଟ ସମୟ ଅଧିକ ଦିଆଯିବ, ଅର୍ଥାତ୍ ଉକ୍ତ ପରୀକ୍ଷା ଦିନ ୧୧.୪୫ରେ ସରିବ। କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୨ ତାରିଖ ଗୁରୁବାର ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଓ ତେଲୁଗୁ ଓ ଅଲଟରନେଟିଭ ଇଂରାଜୀ, ୪ ତାରିଖ ଶନିବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା (କେବଳ ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ), ୫ ତାରିଖ ରବିବାର ଟିଏଲଭି ପ୍ରାକ୍ଟିକାଲ, ୬ ତାରିଖ ସୋମବାର ଗଣିତ, ୮ ତାରିଖ ବୁଧବାର ବିଜ୍ଞାନ, ୯ ତାରିଖ ଗୁରୁବାର ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖ ଶୁକ୍ରବାର ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ଶି ଓ ଟିଏଲଭି ଥିଓରୀ (କେବଳ ମୂଳ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ଏବଂ ଭୋକେସନାଲ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ଟିଏଲଭି ଓ ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବ୍ଜେକ୍ଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ଆସିବ। ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଏବଂ ସବ୍ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ଦେବାକୁ ହେବ। ଭୋକେସନାଲ ଟ୍ରେଡ୍ ଥିଓରୀ ବିଷୟଗୁଡ଼ିକରେ ୫୦ ମାର୍କ ଓ ଟିଏଲଭି ଥିଓରିରେ ୨୦ ମାର୍କର ସବ୍ଜେକ୍ଟିଭ ପ୍ରଶ୍ନ ଆସିବ। ଭୋକେସନାଲ ଟ୍ରେଡ୍ଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା (୫୦ ମାର୍କ) ନିଜ ନିଜ ବିଦ୍ୟାଳୟରେ ଜୁନ୍ ୨୧ ତାରିଖରୁ ଜୁନ୍ ୨୭ ତାରିଖ ମଧ୍ୟରେ ଓସେପା ତତ୍ତ୍ୱାବଧାନରେ ହେବ। ସେହିପରି ଟିଏଲଭି ପ୍ରାକ୍ଟିକାଲ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ୮୦ ମାର୍କର ଅନୁଷ୍ଠିତ ହେବ।