ନୂଆଦିଲ୍ଲୀ,୨୩।୧୦: ଦେଶର ସର୍ବବୃହତ୍ ଆଇପିଓ (IPO) ଜିଓ ପ୍ଲାଟଫର୍ମସ୍ ନିଜର ଐତିହାସିକ ସମାପ୍ତି ସହ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୩୦,୨୧୩ କୋଟି ଟଙ୍କାର ଏହି ମେଗା ଆଇପିଓରେ ମାତ୍ର ତିନି ଦିନ ମଧ୍ୟରେ ୧.୩୮ କୋଟିରୁ ଅଧିକ ଆବେଦନ ମିଳିଛି, ଯାହା ବିଶ୍ୱର ଯେକୌଣସି ଆଇପିଓ ପାଇଁ ଏପର୍ଯ୍ୟନ୍ତ ମିଳିଥିବା ସର୍ବାଧିକ ଆବେଦନ ସଂଖ୍ୟା ଅଟେ। ଶୁକ୍ରବାର ସନ୍ଧ୍ୟା ୭ଟାରେ ବିଡିଂ ବନ୍ଦ ହେବା ସୁଦ୍ଧା ଏହି ଆଇପିଓ ୨୨ ଗୁଣରୁ ଅଧିକ ସବସ୍କ୍ରାଇବ୍ ହୋଇଥିଲା। ଆଙ୍କର୍ ଏବଂ ଅଣ-ଆଙ୍କର୍ ନିବେଶକଙ୍କୁ ମିଶାଇ ମୋଟ ବିଡ୍ର ପରିମାଣ ପ୍ରାୟ ୭.୪୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏଥିମଧ୍ୟରୁ ଅଣ-ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୪.୯୦ ଲକ୍ଷ କୋଟି ଟଙ୍କା ଏବଂ ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୨.୫୦ ଲକ୍ଷ କୋଟି ଟଙ୍କାର ବିଡ୍ ଦାଖଲ ହୋଇଥିଲା।

ଜିଓ ଆଇପିଓରେ ରିଟେଲ ବା ଖୁଚୁରା ନିବେଶକଙ୍କ ମଧ୍ୟରେ ଶେୟାର କିଣିବା ପାଇଁ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ରିଟେଲ ବର୍ଗରେ ପ୍ରାୟ ୮.୫ କୋଟି ଶେୟାର ଉପଲବ୍ଧ ଥିବାବେଳେ ୨୩ କୋଟିରୁ ଅଧିକ ସେୟାର ପାଇଁ ବିଡ୍ ଆସିଥିଲା, ଯାହା ଉପଲବ୍ଧ ଶେୟାର ତୁଳନାରେ ୨.୭୨ ଗୁଣ ଅଧିକ। ତେବେ ବୈଧ ଆବେଦନ, ସର୍ବନିମ୍ନ ଲଟ୍ ଏବଂ ପ୍ରଯୁଜ୍ୟ ଆବଣ୍ଟନ ପ୍ରକ୍ରିୟା ଆଧାରରେ ପ୍ରକୃତ ଶେୟାର ବଣ୍ଟନ କରାଯିବ। ଅନ୍ୟପଟେ ବୃହତ୍ ସଂସ୍ଥାଗତ ନିବେଶକ (QIB) ବର୍ଗରେ ୭୦.୫୫ ଗୁଣ, ଅଣ-ସଂସ୍ଥାଗତ ନିବେଶକ (NII) ବର୍ଗରେ ୧୪ ଗୁଣ, ରିଲାଏନ୍ସ ସେୟାରଧାରକ କୋଟାରେ ୭.୬୦ ଗୁଣ ଏବଂ କର୍ମଚାରୀ କୋଟାରେ ୨.୯୩ ଗୁଣ ସବସ୍କ୍ରିପ୍ସନ୍ ହୋଇଥିଲା।

ସର୍ବାଧିକ ଆବେଦନ ପାଇବାରେ ଜିଓ ଆଇପିଓ ପୂର୍ବର ସମସ୍ତ ରେକର୍ଡକୁ ବିପୁଳ ବ୍ୟବଧାନରେ ଭାଙ୍ଗିଦେଇଛି। ଏହା ପୂର୍ବରୁ ୨୦୨୪ ଅକ୍ଟୋବରରେ ‘ୱାରୀ ଏନର୍ଜିଜ୍’ ଆଇପିଓକୁ ସର୍ବାଧିକ ୯୭.୩୪ ଲକ୍ଷ ଆବେଦନ ମିଳିଥିଲା, ଯାହା ତୁଳନାରେ ଜିଓ ପ୍ରାୟ ୪୨ ପ୍ରତିଶତ ଅଧିକ ଆବେଦନ ହାସଲ କରିଛି। ଜିଓ ଆଇପିଓର ପ୍ରଥମ ଦିନରେ ୩୦.୫ ଲକ୍ଷ, ଦ୍ୱିତୀୟ ଦିନରେ ୭୫ ଲକ୍ଷ ଏବଂ ତୃତୀୟ ଦିନ ଶେଷ ସୁଦ୍ଧା ଏହା ୧.୩୮ କୋଟି ଅତିକ୍ରମ କରିଥିଲା।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୬ରେ ଶେୟାର ଆବଣ୍ଟନ ଚୂଡ଼ାନ୍ତ ହେବ, ଅକ୍ଟୋବର ୨୭ରେ ନିବେଶକଙ୍କ ଡିମାଟ୍ ଖାତାରେ ଶେୟାର ଜମା ହେବ ଏବଂ ଅକ୍ଟୋବର ୨୮ରେ ବିଏସଇ (BSE) ଓ ଏନଏସଇ (NSE)ରେ ଜିଓ ପ୍ଲାଟଫର୍ମସର ଲିଷ୍ଟିଂ ହେବ।
ବିଶେଷ କଥା ହେଉଛି, ଶୁକ୍ରବାର ଅକ୍ଟୋବର ୨୩ ତାରିଖରେ ଜିଓ ପ୍ଲାଟଫର୍ମସର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀଙ୍କ ଜନ୍ମଦିନ ମଧ୍ୟ ଥିଲା। ନିଜ ଜନ୍ମଦିନରେ ହିଁ ବିଶ୍ୱର ସର୍ବାଧିକ ଆବେଦନ ପାଇଥିବା ଏହି ଐତିହାସିକ ଆଇପିଓର ବିଡିଂ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଛି।

