ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ ଏହା ଯନ୍ତ୍ରଣା
କମାଇବାରେ ସାହାଯ୍ୟ କରି ଶରୀରକୁ ଆରାମ ଦେଇଥାଏ। ତେବେ ଏହି ମାଲିସ୍‌ ସବୁଠୁ ଅଧିକ ଆରାମଦାୟକ ଓ ଉପକାରୀ ହୋଇଥାଏ ଶିଶୁଙ୍କ ପାଇଁ…

ଜନ୍ମହେଲା ପରେ ପରେ ମା’ ଶିଶୁକୁ ନିଜ ଦେହରେ ଜଡ଼ାଇ, କୋଳକୁ ନେଇ ମମତାର ଉଷ୍ଣ ସ୍ପର୍ଶ ଦେବାସହ ନିଜର ସ୍ତନ୍ୟପାନ କରାଇଥାଏ । ଏହା ଶିଶୁ ପାଇଁ ଏକ ସୁରକ୍ଷା କବଚ ଭଳି କାମ କରିଥାଏ। ଏହା ସହ ଶିଶୁର ଉଭୟ ମାନସିକ ତଥା ଶାରୀରିକ ବିକାଶ ଭଲ ଭାବେ ହେବା ଲାଗି ଆବଶ୍ୟକ ହୋଇଥାଏ ନିୟମିତ ତେଲ ମାଲିସ, ଯାହାକି ଶିଶୁର ଶରୀର ବିଶେଷଭାବରେ ମୁହଁ, ଦେହ, ପାଦ ଓ ତାଳୁ, ନରମ ଓ କୋମଳ ହୋଇଥାଏ ।
ମା’ର କୋମଳ ସ୍ପର୍ଶ ଦ୍ୱାରା ଶିଶୁ ଖୁସି ହୁଏ ଓ ତା’ର ମାନସିକ ବିକାଶ ଭଲଭାବରେ ହୋଇଥାଏ। ନିୟମିତ ମାଲିସ୍‌ ଦ୍ୱାରା ମା’ ଓ ଶିଶୁର ବନ୍ଧନ ଦୃଢ଼ରୁ ଦୃଢ଼ତର ହୋଇଥାଏ ଏବଂ ଶିଶୁ ସେଇ ମାଲିସ୍‌ ସମୟକୁ ସବୁଦିନ ଅନେଇ ରହିଥାଏ ।
ମାଲିସ୍‌ କରିବାର ପ୍ରଣାଳୀ- ଶିଶୁକୁ ମାଲିସ୍‌ କରିବା ବେଳେ ମା’ ଦୁଇ ହାତକୁ ସାବୁନ୍‌ରେ ପରିଷ୍କାର କରି ଧୋଇବା ଦରକାର । ନ ହେଲେ ମା’ର ହାତରୁ ବା’ ତେଲମାଲିସ କରୁଥିବା ମହିଳାଙ୍କ ପାଖରୁ ଶିଶୁକୁ ନାନାଦି ରୋଗ ସଂକ୍ରମଣ ହୋଇପାରେ। ରୁମ୍‌ ଭିତରକୁ ଯେପରି ଥଣ୍ଡା ପବନ ପଶି ନ ଆସେ, ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକ।
ରୁମ୍‌ ଯେମିତି ବେଶି ଥଣ୍ଡା ବା’ ବେଶି ଗରମ ନ ହେବ ସେଥି ପାଇଁ ଦୃଷ୍ଟିଦେବା ଦରକାର। ଶିଶୁକୁ ଖୁଆଇସାରିବା ପରେ ମାଲିସ୍‌ ନ କରି, ଖାଲିପେଟରେ ମାଲିସ୍‌ କରିବା ଭଲ । ଏହାଛଡ଼ା ଥଣ୍ଡା ତେଲ ନୁହେଁ ସାମାନ୍ୟ ଉଷୁମ ତେଲରେ ମାଲିସ୍‌ କଲେ ଶିଶୁକୁ ଆରାମ ଲାଗିଥାଏ ।
ସାଧାରଣତଃ ଦିନକୁ ୨ଥର ଶିଶୁକୁ ମାଲିସ୍‌କଲେ ତା’ର ମାଂସପେଶୀ ଓ ହାଡ଼ ଶକ୍ତ ହୁଏ ଏବଂ ଶିଶୁଟି ଚଳ ଚଞ୍ଚଳ ଓ ସକ୍ରିୟ ହୋଇଯାଏ ।
କେମିତି କରିବେ ମାଲିସ- ପ୍ରଥମେ ଶିଶୁର ପାଦପଟୁ ମାଲିସ୍‌ ଆରମ୍ଭ କରିବା ଦରକାର। ଶିଶୁର ଗୋଟିଏ ଗୋଡ଼ର ଗୋଇଠି ହାତରେ ଧରି ଆର ହାତରେ ଶିଶୁର ନିତମ୍ବଠାରୁ ଗୋଇଠି ଯାଏ ମାଂସପେଶୀକୁ ଚିପିଚିପି ତେଲ ମାଲିସ୍‌ କରିବେ । ଗୋଡ଼କୁ ଚିପୁଡ଼ିଲା ଭଳି ଜୋର୍‌ରେ ମୋଡ଼ାମୋଡ଼ି କରି ମାଲିସ୍‌ ନ କରି ଧୀରେ ଧୀରେ ମୃଦୁ ଚାପ ଦେଇ ମାଲିସ୍‌ କରିବା ଭଲ। ଶିଶୁର ଗୋଡ଼ ଗୋଟିଏ ହାତରେ ଧରି, ଆରହାତରେ ପାଦରେ ତେଲ ମାଲିସ୍‌ କରିଦିଅନ୍ତୁ, ଗୋଡ଼ର ଆଙ୍ଗୁଠି ଫୁଟାଇଲା ଭଳି ଖୁବ୍‌ ଧୀରେ ଧୀରେ ମୋଡ଼ି ଦିଅନ୍ତୁ ଏବଂ ହାତରେ ବୁଢ଼ା ଆଙ୍ଗୁଠିରେ ଓ ପାଦ ଉପରେ ଧୀରେ ଧୀରେ ଚାପ ଦେଇ ପାଦକୁ ଭାଙ୍ଗି ମାଲିସ୍‌ କରନ୍ତୁ । ୩-୪ ଥର ଏପରି କରନ୍ତୁ ଓ ପରେ ଆର ପାଦକୁ ମଧ୍ୟ ଉପରୋକ୍ତ ଭାବରେ ମାଲିସ୍‌ କରନ୍ତୁ । ଶିଶୁର ପାଦକୁ ଆଣ୍ଠୁ ପାଖରୁ ଗୋଇଠି ପର୍ଯ୍ୟନ୍ତ ଭାଙ୍ଗି, ହାତରେ ଅଟାକୁ ବେଲିଲା ଭଳି ଧୀରେ ଧୀରେ ବେଲି ଦିଅନ୍ତୁ ।
ଛାତି ମାଲିସ୍‌ – ଦୁଇହାତକୁ ଶିଶୁର ଛାତି ଓ ପଞ୍ଜରାହାଡ଼ ଉପରେ ରଖି ହୃତ୍‌ପିଣ୍ଡକୁ ମାଲିସ୍‌ କଲାଭଳି ହାଲ୍‌କା ଚାପ ଦେଇ ଛାତି ଉପରେ ମାଲିସ୍‌ କରନ୍ତୁ । ମନେରଖନ୍ତୁ ଛାତି ଉପରେ ଅଧିକ ଦାବି ଦାବି ବା ଚାପ ଦେଇ ମାଲିସ୍‌ କରିବା ଅନୁଚିତ।
ପେଟ – ଶିଶୁର ତଳି ପେଟ ଉପରେ ହାତଦେଇ ଧୀରେ ଧୀରେ ହାତକୁ ପେଟ ଉପର ଯାଏ ମାଲିସ୍‌ କଲାଭଳି ନେଇଆସନ୍ତୁ । ଏବେ ଦୁଇ ହାତରେ ଶିଶୁର ପେଟ ମାଲିସ୍‌ କରନ୍ତୁ। ପେଟକୁ ମଧ୍ୟ ଅଧିକ ଚାପନ୍ତୁ ନାହିଁ।
କାନ୍ଧ ଓ ହାତ – ଶିଶୁର ଛାତି ଉପରେ ଦୁଇପଟରେ ଦୁଇ ହାତରଖି ତାକୁ ଧୀରେ ଧୀରେ ଛାତିଉପର ଯାଏ ଉଠାଇ ମାଲିସ୍‌ କରନ୍ତୁ । ଆସ୍ତେ ଦୁଇହାତକୁ ଛାତିରୁ କାନ ଓ ହାତର ଉପର ଭାଗ ଯାଏ ଟାଣିନିଅନ୍ତୁ ।
ମୁହଁ ମାଲିସ୍‌- ଦୁଇ ହାତକୁ ଘଷି ଘଷି ଉଷୁମ କରି ଶିଶୁର କପାଳର ଦୁଇପଟେ ମାଲିସ୍‌ କରନ୍ତୁ, ଆସ୍ତେ ଆସ୍ତେ ଦୁଇହାତକୁ ମୁହଁ ଉପରକୁ ଖସାଇ ଆଣି ମୁହଁକୁ ମାଲିସ୍‌ କରି ଦୁଇ ବୁଢ଼ା ଆଙ୍ଗୁଠିକୁ ନାକର ଦୁଇ ପଟେ ରଖି ମାଲିସ୍‌ କରନ୍ତୁ । ତା’ ପରେ ଧୀରେ ଧୀରେ ଦୁଇହାତକୁ ଦୁଇ ପଟେ ଗାଲ ତଳକୁ ଖସାଇ ଦିଅନ୍ତୁ ।
ଗାଲ ମାଲିସ୍‌ – ଦୁଇ ହାତରେ ଶିଶୁର ଗାଲ ଉପରେ ମାଲିସ କଲାବେଳେ ଗୋଟିଏ ଗୋଟିଏ ଗୋଲ ସୃଷ୍ଟି କରନ୍ତୁ ବା ତଳୁ ଉପର ପର୍ଯ୍ୟନ୍ତ ସାର୍କୁଲାର ମୋଶନରେ ମାଲିସ କରନ୍ତୁ। ତା’ ପରେ କାନ୍ଧମୂଳକୁ ସୁନ୍ଦର ଭାବରେ ଦୁଇ ହାତରେ ମାଲିସ କରନ୍ତୁ । ଏଥର ଧୀରେ ଧୀରେ ହାତ ଖସାଇ ତା’ର ଚିବୁକ ପାଖକୁ ଆଣନ୍ତୁ ।
ଓଠ ତଳ ମାଲିସ କରି ସାରିଲାପରେ, ଧୀର ସ୍ବରରେ ସ୍ମିତହସି, ଶିଶୁଟିର ମାଲିସ୍‌ ପରର ସ୍ମିତହାସ୍ୟଟିକୁ ମଧ୍ୟ ସାଦରେ ସ୍ବାଗତ ଜଣାନ୍ତୁ ଏବଂ ଅତି କୋମଳ ସ୍ବରରେ ତା’ ନାଁକୁ ଉଚ୍ଚାରଣ କରନ୍ତୁ ଏବଂ ତା’ ମୁହଁକୁ ଚାହିଁ ତା’ ନାଁ ଧରି ଡାକନ୍ତୁ । ଦେଖିବେ ପ୍ରତ୍ୟେକ ଦିନ ମାଲିସ୍‌ ହେବା ସମୟଟି ହେଲେ, ଶିଶୁ ବ୍ୟତିବ୍ୟସ୍ତ ହୋଇ ମାଲିସ୍‌ ହେବା ପାଇଁ ଚାହିଁବ ଏବଂ ମାଲିସ୍‌ କରିବା ପରେ ଆରାମରେ ନିଦରେ ଶୋଇପଡ଼ିବ ।

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ଼, କଟକ