Categories: ବାଣିଜ୍ୟ

ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ମଡେଲ ଘରୋଇ ବଜାରରେ ଭଲ କାରବାର କରୁଥିବାବେଳେ ବିଭିନ୍ନ କାରଣ ଓ କଞ୍ଚାମାଲର ଅଭାବ ଏବଂ ଦରବୃଦ୍ଧିରୁ ମିକୁଳିବା ପାଇଁ କମ୍ପାନୀ ୨୦୨୪ ଜାନୁୟାରୀ ପହିଲା (୨୦୨୪ ଜାନୁୟାର୧) ରୁ ଦର ବଢ଼ାଇବା ସହ ନୂଆ ଦର ଲାଗୁ କରିବ ବୋଲି ଏମ୍‌ଏସ୍‌ଆଇଏଲ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ ଏହି ଅଟୋମେକର (ଏମ୍‌ଏସ୍‌ଆଇଏଲ୍‌) ମୁଦ୍ରାସ୍ଫୀତି ଓ କମୋଡିଟି ପ୍ରାଇସ (ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି)ର ଉଚ୍ଚ ବୃଦ୍ଧି ଯୋଗୁ କମ୍ପାନୀ ନୂଆ ବର୍ଷରୁ ଦର ବଢ଼ାଇବା ସମ୍ପର୍କରେ ବିଏସଇକୁ ଅବଗତ କରାଇଛି। ଏପରିକି ୨୦୨୪ ଜାନୁୟାରୀ ୧ରୁ କମ୍ପାନୀ ନୂଆ ଦର ଲାଗୁ କରିବ ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ଡିଲରପଏଣ୍ଟଗୁଡିକୁ ମଧ୍ୟ ଆଗରୁ ସୂଚାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁୟାରୀ ୧ରେ ଏମ୍‌ଏସଆଇଏଲ କମ୍ପାନୀ ପ୍ରମୁଖ ମଡେଲଗୁଡିକ ଉପରେ ୧.୧% ପର୍ଯ୍ୟନ୍ତ ଦର ବଢାଇଥିଲାବେଳେ ୨୦୨୪ ଜାନୁୟାରୀରେ କମ୍ପାନୀ ପୂର୍ବବର୍ଷ ଅପେକ୍ଷା ମୂଲ୍ୟ ବୃଦ୍ଧି ଅଧିକ କରିବ ବୋଲି ଆକଳନ କରାଯାଉଛି। ସେହିଭଳି ବର୍ଷ ୨୦୨୩ରେ କମ୍ପାନୀ ୨ ଥର ଦର ବଢାଇଥିଲାବେଳେ ଅନେକ ମଡେଲକୁ ବଜାର ପ୍ରବେଶ କରାଇଥିଲା। ଏପରିକି ବର୍ଷ ୨୦୨୩ ଏମଏସଆଇଏଲ ପାଇଁ ବେଶ ଭଲ ରହିଛି ବୋଲି କମ୍ପାନୀ ପକ୍ଷରୁ ମତପ୍ରକାଶ ପାଇଛି। ଅପରପକ୍ଷରେ ବର୍ଷ ୨୦୨୩ରେ କମ୍ପାନୀ ଘରୋଇ ବଜାରରେ ବେଶ୍‌ ଉତ୍ସାହଜନକ ପ୍ରଦର୍ଶନ କରିଥିଲାବେଳେ ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ସୂଚନାଯୋଗ୍ୟ, ଏମ୍‌ଏସ୍‌ଆଇଏଲ୍‌ର (ଏକ୍ସ ଶୋ’ରୁମ୍‌ ମୂଲ୍ୟ ନୂଆଦିଲ୍ଲୀ) ଯଥା ୩.୫୪ ଲକ୍ଷ ମୂଲ୍ୟଠାରୁ ଆରମ୍ଭକରି ୨୮.୪୨ ଲକ୍ଷ ମଧ୍ୟରେ ଆସୁଥିବା ସମସ୍ତ ମଡେଲ ଉପରେ ନୂଆ ଦର ଲାଗୁ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି।

Share